ଆସନ୍ତାକାଲି ବଡ ଘୋଷଣା କରିପାରେ କଂଗ୍ରେସ, ସଂକେତ ଦେଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଶା କରାଯାଉଛି ଖୁବ ଶୀଘ୍ର କଂଗ୍ରେସ ଦଳ ନିଜ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ। ସେପଟେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ୱିଟରରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ କଂଗ୍ରେସ ଏକ ବଡ ଘୋଷଣା କରିବାକୁ ଯାଉଛି। ରାହୁଲ ଗାନ୍ଧୀ ଏହି ଘୋଷଣା ବିଷୟରେ ସିଧାସଳଖ ଯଦିଓ କିଛି ଲେଖି ନାହାଁନ୍ତି କିନ୍ତୁ ଏହି ଘୋଷଣା ଯୁବପିଢ଼ିଙ୍କୁ ନେଇ ହେବ ବୋଲି ସୂଚାଇ ଦେଇଛନ୍ତି। ରାହୁଲ ଗାନ୍ଧୀ ନିଜ ଟୁଇଟରେ ଦେଶର ଯୁବକମାନଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ‘ବର୍ତ୍ତମାନ ଡିଗ୍ରୀ ସମ୍ମାନ ପାଇବ, ସମସ୍ୟାର ସମାଧାନ ହେବ ଏବଂ ସମସ୍ତେ କାମ ପାଇବେ |

କଂଗ୍ରେସ ଆପଣଙ୍କ ହାତରେ ଭବିଷ୍ୟତର ଦାୟିତ୍ୱ ଦେବ, ଆସନ୍ତାକାଲି ଏକ ବଡ଼ ଘୋଷଣା ହେବ। କଂଗ୍ରେସ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଥିବାବେଳେ ଏହି ସମୟ ମଧ୍ୟରେ ସେ ଲଗାତାର ଯୁବକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ନିଜର ମତ ପ୍ରକାଶ କରୁଛନ୍ତି। ରାହୁଲ ଗାନ୍ଧୀ ନିକଟରେ ଘୋଷଣା କରିଥିଲେ ଯେ ଯଦି ଆଗାମୀ ଲୋକସଭା ନିର୍ବାଚନ ପରେ କଂଗ୍ରେସ ଦଳ ସରକାର ଗଠନ କରେ, ତେବେ ଅଗ୍ନିବୀର ଯୋଜନାକୁ ରଦ୍ଦ କରାଯିବ। ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନ ପାଇଁ ଏବେ ସମସ୍ତେ ବ୍ୟସ୍ତ ଥିବା ସମୟରେ କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି | ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ଇସ୍ତାହାର ପ୍ରସ୍ତୁତି କରୁଛି। ଏଥି ସହିତ କଂଗ୍ରେସ ପାର୍ଟି ମଧ୍ୟ ଏହାର ଯୋଜନା ଦେଶର ଲୋକଙ୍କ ନିକଟରେ ଉପସ୍ଥାପନ କରୁଛି |

ସମ୍ବନ୍ଧିତ ଖବର