ରାହୁଲ୍‌ଙ୍କୁ ଜେରା: ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ, କେସି ବେଣୁଗୋପାଳଙ୍କୁ ଦିଲ୍ଲୀ ପୁଲିସର ଠେଲାପେଲା

ଦୁର୍ନୀତି ସମର୍ଥ‌ନରେ କଂଗ୍ରେସର ଆନ୍ଦୋଳନ ଯାତ୍ରା: ସ୍ମୃତି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍‌ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଇଡି ଜେରା କରିଛି। କିନ୍ତୁ କେନ୍ଦ୍ର ସରକାର ବିରୋଧୀଙ୍କୁ ଦମନ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି ଦେଶବ୍ୟାପୀ ବିକ୍ଷୋଭ କରିଛି। କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲା କର୍ମୀଙ୍କ ଉପରେ ପୁଲିସର ଦମନଲୀଳାକୁ ନିନ୍ଦା କରିଛନ୍ତି। ସେ ଏକ ଟ୍ବିଟ୍‌ରେ ଲେଖିଛନ୍ତି- କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପରେ ପୁଲିସ ପ୍ରାଣଘାତୀ ଆକ୍ରମଣ କରିଛି। କଂଗ୍ରେସ କର୍ମୀମାନଙ୍କୁ ଲାଠିମାଡ଼ ହୋଇଛି। ଗଣତନ୍ତ୍ରକୁ ଦଳିମକଚି ଦିଆଯାଇଛି। ଦେଶ ମୋଦୀ ସରକାରକୁ କେବେ କ୍ଷମା କରିବ ନାହିଁ।

ଆର୍‌ଜେଡି ନେତା ମୃତ୍ୟୁଞ୍ଜୟ ତିୱାରି କହିଛନ୍ତି ଯେ ବାସ୍ତବ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ଅପସାରିତ କରିବା ପାଇଁ ଇଡି ମାଧ୍ୟମରେ ରାହୁଲ ଗାନ୍ଧିଙ୍କ ଉପରେ ବିଜେପି ଦାଉ ସାଧୁଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ହାତବାରିସି କରି କେନ୍ଦ୍ର ସରକାର ବିରୋଧୀଙ୍କ ସ୍ବର ଚାପିଦେବାକୁ ଉଦ୍ୟମ କରୁଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ, ବିରୋଧୀଙ୍କୁ ଦବେଇ ରଖିବା ପାଇଁ ନିରବଚ୍ଛିନ୍ନଭାବେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରାଯାଉଛି। ଗତ ଆଠବର୍ଷ ହେଲା କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ବିରୋଧୀ ନେତାମାନଙ୍କ ବିରୋଧରେ ମାମଲା ରୁଜୁ କରି ଚାଲିଛନ୍ତି। କଂଗ୍ରେସ ଏମ୍‌ପି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ରାହୁଲଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ରାଜନୀତି ଛଡ଼ା ଆଉ କିଛି ନୁହେଁ। କାରଣ ଏଥିରେ କିଛି ଆଇନଗତ ଯଥାର୍ଥତା ଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ୮ ବର୍ଷ ଲାଗି ନ ଥାନ୍ତା। ଲୋକଙ୍କୁ ହଇରାଣ କରିବା ପାଇଁ ବିଜେପି ଏହା କରୁଛି। କିନ୍ତୁ ଆମେ ଭୟଭୀତ ହେବୁ ନାହିଁ, ଲଢ଼ିବୁ। ଅନ୍ୟପକ୍ଷରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି- କଂଗ୍ରେସ କର୍ମୀମାନେ ତାଙ୍କ ନେତା କରିଥିବା ଦୁର୍ନୀତିକୁ ସମର୍ଥନ କରିବାକୁ ଯାଇ ସାରା ଦେଶରେ ଅରାଜକତା ସୃଷ୍ଟି କରିବା ନିନ୍ଦନୀୟ। ୩୦ ଦଶକରେ ୫୦୦୦ ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ଏଜେଏଲ୍‌ ଗଠନ କରାଯାଇଥିଲା। ୟଙ୍ଗ ଇଣ୍ଡିଆ କମ୍ପାନି ଗଠନ କରି ଗାନ୍ଧି ପରିବାର ୨୦୦୦ କୋଟି ସେୟାର ଟ୍ରାନ୍ସଫର କରାଇ ନେଇଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି- ଯଦି ରାହୁଲ ଗାନ୍ଧି କିଛି ଭୁଲ କରିନାହାନ୍ତି, ତେବେ ଯାହା ସତ ତାହା ଇଡି ଆଗରେ କହିବେ। ଏଥିରେ ରାହୁଲ ଗାନ୍ଧି ଓ କଂଗ୍ରେସ ଏତେ ଭୟଭୀତ ହେଉଛନ୍ତି କାହିଁକି? ଯାଅ, ସତକଥା କହିଦିଅ। କିନ୍ତୁ ସତ ହେଉଛି ଏଇଆ ଯେ ତୁମେ ସତକୁ ଏପଟସେପଟ କରିଛ, ଦୁର୍ନୀତି କରିଛ ଏବଂ ଯେତେବେଳେ ତଦନ୍ତ ହେଉଛି ଭୟଭୀତ ହୋଇ ଦଳୀୟ ବିକ୍ଷୋଭ ଆଦି ମାଧ୍ୟମରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଛ।

କେସି ବେଣୁଗୋପାଳଙ୍କୁ ଦିଲ୍ଲୀ ପୁଲିସର ଠେଲାପେଲା

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ସମର୍ଥନ କରି ଆଜି ଅନେକ ସଂଖ୍ୟାରେ ବରିଷ୍ଠ ନେତା ଏବଂ କର୍ମୀମାନେ ଆନ୍ଦୋଳନ ଯାତ୍ରା କରିଥିବାବେଳେ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକ ରଖିଛି। ଦିଲ୍ଲୀ ପୁଲିସ ଆଜି ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସଦସ୍ୟ କେସି ବେଣୁଗୋପାଳଙ୍କୁ ଠେଲାପେଲା କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭିଙ୍କ ଦ୍ବାରା ଟ୍ବିଟରରେ ଏହି ଭିଡିଓ ସେୟାର ହୋଇଛି। ଭିଡିଓଟିକୁ ସେୟାର କରି ଶ୍ରୀନିବାସ କହିଛନ୍ତି, ଜଣେ ରାଜ୍ୟସଭା ସାଂସଦ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଦିଲ୍ଲୀ ପୁଲିସର ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ। କଂଗ୍ରେସ ଏହି ଆନ୍ଦୋଳନକୁ ‘ସତ୍ୟାଗ୍ରହ ଯାତ୍ରା’ କହିଛି। ଦିଲ୍ଲୀ ପୁଲିସ ଏଥିପାଇଁ ଅନୁମତି ଦେଇନଥିଲେ ସୁଦ୍ଧା କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି।

ଦୁର୍ନୀତି ସମର୍ଥ‌ନରେ କଂଗ୍ରେସର ଆନ୍ଦୋଳନ ଯାତ୍ରା: ସ୍ମୃତି
ନୂଆଦିଲ୍ଲୀ : ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ଆନ୍ଦୋଳନ କରୁନି ବରଂ ଗାନ୍ଧି ପରିବାରର ୨ ହଜାର କୋଟି ଟଙ୍କା ସମ୍ପତ୍ତିର ସୁରକ୍ଷା ପାଇଁ କଂଗ୍ରେସ ଆନ୍ଦୋଳନ କରୁଛି। ରାହୁଲଙ୍କ ଇଡି ସମନ୍‌କୁ ବିରୋଧ କରି କଂଗ୍ରେସ ନେତା ଏବଂ କର୍ମୀମାନେ ଆଜି ଯେଉଁ ଆନ୍ଦୋଳନ ଯାତ୍ରା କରିଛନ୍ତି ତାହା କେବଳ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବାପାଇଁ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ଆଇନ ଊର୍ଦ୍ଧ୍ବରେ କେହି ନୁହନ୍ତି, ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧି ବି ନୁହନ୍ତି । ସ୍ମୃତି କହିଛନ୍ତି, ଏକ ଖବରକାଗଜ ପ୍ରକାଶନ ଉଦ୍ଦେଶ୍ୟରେ ୧୯୩୦ରେ ଏଜେଏଲ୍‌ ପ୍ରତିଷ୍ଠା ହୋଇଥିଲା। ଏହାର ୫ ହଜାର ସ୍ବାଧୀନତା ସଂଗ୍ରାମୀ ଏବଂ ସେୟାରହୋଲ୍ଡର ଥିଲେ। କିନ୍ତୁ ଏବେ ଏହା ଗାନ୍ଧି ପରିବାର ନିୟନ୍ତ୍ରଣରେ। ସ୍ମୃତିଙ୍କ ଅଭିଯୋଗ ଅନୁଯାୟୀ କମ୍ପାନିର ମାଲିକାନା କେବଳ ଗୋଟିଏ ପରିବାରକୁ ହସ୍ତାନ୍ତର ହେଲା। ଏଜେଏଲ୍‌ର ୨ ହଜାରରୁ ଅଧିକ କୋଟି ଟଙ୍କାକୁ ଗାନ୍ଧି ପରିବାର ହଡ଼ପ କରିବା ପାଇଁ ୟଙ୍ଗ ଇଣ୍ଡିଆନ୍ ସଂସ୍ଥା ଗଠନ କରିଥିଲା ବୋଲି ଉକ୍ତ ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର