ରାହୁଲ୍‌ଙ୍କୁ ଜେରା: ଥାନାରେ ଅଟକ କଂଗ୍ରେସ ନେତାଙ୍କୁ ଭେଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମର୍ଥନ କରି ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଏବଂ କର୍ମୀମାନେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ସମୟ‌ରେ ଅନେକ ଦଳୀୟ ନେତାଙ୍କୁ ପୁଲିସ ଅଟକ ରଖିଛି। ‌ତେବେ ଦିଲ୍ଲୀର ତୁଗଲକ ରୋଡ୍‌ ଥାନାରେ ବନ୍ଦୀ ଥିବା କିଛି ଦଳୀୟ ନେତାଙ୍କୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ଭେଟିଛନ୍ତି। ପ୍ରିୟଙ୍କାଙ୍କୁ ଆଜି ଥାନାରେ ଦଳୀୟ ନେତାଙ୍କ ସହ ବସିବାକୁ ଅନୁମତି ମିଳିଥିଲା। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଦଳୀୟ ନେତାଙ୍କ ସହ ବସିବାପରେ ପ୍ରିୟଙ୍କା ଥାନା ଛାଡ଼ିଥିଲେ। ଦଳର ସାଧାରଣ ସଚିବ କେସି ବେଣୁଗୋପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଆଜି ତୁଗଲକ ରୋଡ୍‌ ଥାନାରେ ଅଟକ ରଖାଯାଇଥିଲା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ କେନ୍ଦ୍ରୀୟ ଦିଲ୍ଲୀରେ ଅଟକ ରଖାଯାଇଛି। ଗେହଲଟଙ୍କ ସମେତ କଂଗ୍ରେସର ମଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ, ମୁକୁଲ ୱାସନିକ, ଦିଗବିଜୟ ସିଂହ ଏବଂ ଦୀପେନ୍ଦ୍ର ହୁଦା ଅଟକ ରହିଛନ୍ତି।

ସମ୍ବନ୍ଧିତ ଖବର