ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର କଡ଼ା ସମାଲୋଚନା କରିବା ସହିତ କଟାକ୍ଷ କରିଛନ୍ତି। ସେ ରାହୁଲଙ୍କ ବିରୋଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଜାତି ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇଛନ୍ତି।

Advertisment

ସେ କହିଛନ୍ତି ଯେ କଂଗ୍ରେସ ନେତାଙ୍କ ଜାତି ନାହିଁ। ବାସ୍ତବରେ, ଫାଇନାନ୍ସ ବିଲ୍ ଉପରେ ବିତର୍କରେ ଅଂଶଗ୍ରହଣ କରୁଥିବାବେଳେ ଝାଡଖଣ୍ଡର ଗୋଡ୍ଡାର ସାଂସଦ ନିଶିକାନ୍ତ ଦୁବେ ଅନୁରାଗ ଠାକୁରଙ୍କ ମନ୍ତବ୍ୟକୁ ଉଲ୍ଲେଖ କରିଥିଲେ ଯେଉଁଥିରେ ସେ ବିରୋଧୀଦଳର ନେତାଙ୍କୁ ତାଙ୍କ ଜାତି ବିଷୟରେ ପଚାରିଥିଲେ।

ଭାରତୀୟ ଜନତା ପାର୍ଟି ସାଂସଦ କହିଛନ୍ତି ଯେ ଅନୁରାଗ ଠାକୁର ଯାହା କହିଛନ୍ତି ମୁଁ ସମ୍ପୂର୍ଣ୍ଣ ଭାବେ ସହମତ ନୁହେଁ। ଏହି ଗୃହରେ ମୁଁ ତାଙ୍କ ତରଫରୁ କ୍ଷମା ମାଗିବାକୁ ଚାହେଁ। ଜାତି ସମ୍ପର୍କରେ ଅନୁରାଗଙ୍କର ଅଭିଯୋଗ ଭୁଲ ଅଟେ। ରାହୁଲଙ୍କର କୌଣସି ଜାତି ନାହିଁ। ରାହୁଲ କୁହନ୍ତି, ମୁଁ ଯାହା ଦେଖାଯାଏ ତାହା ନୁହେଁ। ସେଥିପାଇଁ ସେ ଜଣେ ‌ସନ୍ୟାସୀ। ଆମ ଦେଶରେ କୁହାଯାଇଥାଏ ଯେ, ସନ୍ୟାସୀଙ୍କର ଜାତି ପଚରାଯିବା ଠିକ୍ ନୁହେଁ।

ଦେଶରେ ଜାତିଗତ ଜନଗଣନା ଦାବି କରି ନିଶିକାନ୍ତ ଦୁବେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅନୁରାଗ ସିଂ ଠାକୁର ଜୀ ଏକ ଭୁଲ କରିଛନ୍ତି। କିନ୍ତୁ ମୁଁ କଂଗ୍ରେସକୁ ପଚାରିବାକୁ ଚାହୁଁଛି ଏହି ଦେଶର ଅନେକ ଲୋକ ଧର୍ମ ଓ ଜାତି ଉପରେ ବିଶ୍ୱାସ କରନ୍ତି ନାହିଁ। ଜାତି ଭିତ୍ତିକ ଜନଗଣନାରେ ସେମାନେ କିପରି ଅଂଶଗ୍ରହଣ କରିବେ?

୧୯୫୨ ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ନିଜର ନିର୍ବାଚନ ଇସ୍ତାହାର ଆଣିଛି। ସେଥିରେ ଦର୍ଶାଯାଇଛି କଂଗ୍ରେସ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ବିରୋଧୀ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, କଂଗ୍ରେସ ପଛ ଦ୍ୱାର ଦେଇ ଖ୍ରୀଷ୍ଟିଆନ ଏବଂ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଆଣିବାକୁ ଚାହୁଁଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଜୁଲାଇ ୩୦ରେ ଲୋକସଭାରେ କେନ୍ଦ୍ର ବଜେଟ ଉପରେ ଆଲୋଚନା ବେଳେ ଅନୁରାଗ ଠାକୁରଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ହୋଇଥିଲା। ଅନୁରାଗ ଠାକୁର ରାହୁଲଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେଉଁ ବ୍ୟକ୍ତିଙ୍କ ଜାତି ଜଣା ନାହିଁ ସେ ଜାତି ଜନଗଣନା ବିଷୟରେ କହୁଛନ୍ତି।