ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ନୂଆବର୍ଷ ପାଇଁ ବିଦେଶ ଗସ୍ତରେ ଯାଇଛନ୍ତି ଓ ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି | ବାସ୍ତବରେ, ଡିସେମ୍ବର ୨୮ରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ରାହୁଲ ଯୋଗଦେବା ପରେ ତାଙ୍କର ବିଦେଶ ଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ସେଥିପାଇଁ ରାହୁଲ ବିଦେଶ ଯିବା ପରେ ଏବେ କଂଗ୍ରେସ ରାହୁଲଙ୍କ ନିର୍ବାଚନ କାର୍ଯ୍ୟକ୍ରମ ସ୍ଥିର କରିଛି। ଏହି ଅନୁଯାୟୀ, ଜାନୁୟାରୀ ୧୫ରେ ମକର ସଂକ୍ରାନ୍ତି ପରେ ରାହୁଲ ପଞ୍ଜାବରେ ରାଲି କରିବେ। ଏହା ପରେ ଗୋଆରେ ରାହୁଲଙ୍କ କାର୍ଯ୍ୟକ୍ରମ ଜାନୁୟାରୀ ୧୬ ରେ ଅଛି | ତା’ପରେ ୧୭ କିମ୍ବା ୧୮ ରେ ରାହୁଲ ଉତ୍ତରାଖଣ୍ଡରେ ନିର୍ବାଚନ ସଭା କରିବେ | ଏଥିସହ, ମାସ ଶେଷରେ ରାହୁଲ ଆରଏସଏସ ଗଡ଼ ନାଗପୁରରେ ଜନସଭାରେ ଯୋଗ ଦେବେ |

Advertisment

ତେବେ ରାହୁଲଙ୍କ ବିଦେଶ ଗସ୍ତ ନେଇ ବିରୋଧୀମାନେ କହିଛନ୍ତି ଯେ ରାହୁଲ ଜଣେ ପାର୍ଟଟାଇମ ନେତା | ଏହାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜୱାଲା କହିଛନ୍ତି ଯେ ଏହା ହେଉଛି ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଯାତ୍ରା | ଯଦି କେହି ବ୍ୟକ୍ତିଗତ ଛୁଟିରେ ଯାଆନ୍ତି ତେବେ ଏତେ ହଙ୍ଗାମା କାହିଁକି? ଆମେ କଣ ଛୁଟିଦିନରେ କୁଆଡେ ଯାଉନାହେଁ କି? ଆଜିର ଯୁଗରେ ଆମ ସମସ୍ତଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି ଏବଂ ପାର୍ଟିକୁ ଯାହା ନିର୍ଦ୍ଦେଶ ଦେବା କଥା ତାହା ଦେବେ | ସେ ୫ ଜାନୁଆରୀରେ ଫେରିବେ | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ବୁଧବାର ସକାଳେ ଇଟାଲୀ ଗସ୍ତରେ ଯାଇଛନ୍ତି ।

ତେବେ କଂଗ୍ରେସ ପକ୍ଷରୁ ରାହୁଲଙ୍କ ଇଟାଲୀ ଗସ୍ତ ନେଇ ନିଶ୍ଚିତ କରାଯାଇନାହିଁ । କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳନ ହେବାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟିର ଅନେକ ନେତା କହିଛନ୍ତି ଯେ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ କରିବାକୁ ଇଟାଲୀ ଯାଇଛନ୍ତି | ଏହା ଉପରେ ରଣଦୀପ ସୁରଜୱାଲା କହିଛନ୍ତି ଯେ ସେ ଅନାବଶ୍ୟକ ଗୁଜବ ପ୍ରଚାର କରିବା ଉଚିତ୍ ନୁହେଁ।