ପ୍ରଧାନମନ୍ତ୍ରୀ ହେବାପାଇଁ ରାହୁଲ ସମର୍ଥ: ସଂଜୟ ରାଉତ

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ବ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ସମର୍ଥ। ଏଥିସହ କଂଗ୍ରେସ ବିନା ଦେଶରେ କୌଣସି ତୃତୀୟ ସାମୁଖ୍ୟ ସଫଳ ହେବ ନାହିଁ ବୋଲି ଶିବ ସେନା (ୟୁବିଟି) ନେତା ସଂଜୟ ରାଉତ କହିଛନ୍ତି।

ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ଲକ୍ଷ୍ୟ ହେଲା ଦେଶରୁ ଘୃଣା ଏବଂ ଭୟ ଦୂର କରିବା। ବିରୋଧୀ ଦଳଗୁଡ଼ିକୁ ତାଙ୍କ ଦଳ ଅଧୀନରେ ଏକାଠି କରିବା ନୁହେଁ। ଆଦର୍ଶଗତ ଏବଂ ରାଜନୈତିକ ମତପାର୍ଥକ୍ୟ ସତ୍ତ୍ବେ ରାହୁଲ ଗାନ୍ଧି ତାଙ୍କ ନେତୃତ୍ବ ଦେଖାଇବେ ଏବଂ ଶାସକ ବିଜେପି ପାଇଁ ବଡ଼ ଚାଲେଞ୍ଜ ହେବେ। ୨୦୨୪ ସାଧାରଣ ନିର୍ବାଚନରେ ସେ ସମସ୍ତଙ୍କୁ ଚକିତ କରିବେ। ବର୍ଷା ସତ୍ତ୍ବେ ଜମ୍ମୁ କାଶ୍ମୀରରେ ରାହୁଲଙ୍କ ସହିତ ଭାରତ ଯୋଡ଼ୋ ଯାତ୍ରାରେ ସଂଜୟ ରାଉତ ଗତ ଶୁକ୍ରବାର ସାମିଲ ହୋଇ ୧୩ କିମି ଚାଲିଥିଲେ। କଂଗ୍ରେସ ନେତା ରାହୁଲଙ୍କ ସଂପର୍କରେ ବିଜେପି ଭୁଲ ଧାରଣା ସୃଷ୍ଟି କରିଛି। କିନ୍ତୁ ଏହି ଯାତ୍ରା ତାଙ୍କ ସଂପର୍କରେ ସୃଷ୍ଟି କରାଯାଇଥିବା ସବୁ ଭୁଲ ଧାରଣାକୁ ମିଛ ପ୍ରମାଣିତ କରିଛି ବୋଲି ରାଉତ କହିଛନ୍ତି।

ସମସ୍ତେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୩୫୦୦ କିମି ଯାତ୍ରା କରିପାରିବେ ନାହିଁ। ଏଥିଲାଗି ଦେଶକୁ ଭଲ ପାଇବା ଏବଂ ସଂକଳ୍ପ ଦରକାର। ଦେଶ ପାଇଁ ରାହୁଲ ତାଙ୍କର ଚିନ୍ତାବ୍ୟକ୍ତ କରିଛନ୍ତି। ଉକ୍ତ ଯାତ୍ରାକୁ ନେଇ ସେ କିଛି ରାଜନୀତି ଦେଖୁନାହାନ୍ତି। ରାହୁଲ ନିଜେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନାହାନ୍ତି ବୋଲି କହୁଛନ୍ତି। କିନ୍ତୁ ଲୋକମା‌ନେ ଯେତେବେଳେ ତାଙ୍କୁ ଏହି ପଦରେ ଦେଖିବାକୁ ଚାହି‌ବେ ସେତେବେଳେ ତାଙ୍କ ପାଖରେ କିଛି ବିକଳ୍ପ ରହିବ ନାହିଁ। ନିଜ ଦଳର ନେତାଙ୍କ ନିର୍ଦ୍ଦେଶକ୍ରମେ ସେ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବା ପାଇଁ ଜମ୍ମୁ କାଶ୍ମୀର ଆସିଛନ୍ତି। ରାହୁଲଙ୍କ ସହ ଚାଲିବା ବେଳେ ଭଲ ଅନୁଭୂତି ହୋଇଛି। ଏହା ଏକ ରାଜନୈତିକ ଯାତ୍ରା ନୁହେଁ ବୋଲି ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର