ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଦେଶର ଏକତା ପାଇଁ ବିପଜ୍ଜନକ। ସେ ଭାରତକୁ ଭାଗଭାଗ କରିବା ପାଇଁ ଲୋକଙ୍କୁ ଉସକାଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କ କେମ୍ବ୍ରିଜ ଭାଷଣର ଏକ ଭିଡ଼ିଓ କ୍ଲିପ୍ ସେୟାର କରି ଏହା କହିଛନ୍ତି।

Advertisment

ଟ୍ବିଟ୍ କରି ରିଜିଜୁ ଲେଖିଛନ୍ତି, ସ୍ବଘୋଷିତ କଂଗ୍ରେସ ରାଜକୁମାର ସବୁ ସୀମା ଟପିଯାଇଛନ୍ତି। ଭାରତର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକମାତ୍ର ମନ୍ତ୍ର ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’। କିନ୍ତୁ ରାହୁଲ ଗାନ୍ଧି କ୍ରେମ୍ବ୍ରିଜରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କୁଆଡ଼େ ଭାରତର ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି। ରାହୁଲ ଗାନ୍ଧି ତାଙ୍କ କ୍ରେମ୍ବ୍ରିଜ ଭାଷଣରେ କହିଥିଲେ- ଭାରତ ହେଉଛି ରାଜ୍ୟମାନଙ୍କର ସମାହାର। କଥାବାର୍ତ୍ତା ଓ ବୁଝାମଣା ମାଧ୍ୟମରେ ସେମାନେ ଏକାଠି ଅଛନ୍ତି। ଆପଣ ଯଦି ସେମାନଙ୍କୁ ‘ଏକ ଭାରତ ପାଇଁ ଏକ ଚିନ୍ତାଧାରା’ ଆପଣେଇବାକୁ ବାଧ୍ୟ କରିବେ ତେବେ ସେମାନେ ପ୍ରତିକ୍ରିୟା ପ୍ରକାଶ କରିବେ।

ଭାରତରେ ମୁସଲମାନ ଅଛନ୍ତି, ଖ୍ରୀଷ୍ଟିଆନ ବି ଅଛନ୍ତି। ଭାରତରେ ବିଭିନ୍ନ ଭାଷା ଅଛି। ସେମାନେ ସମସ୍ତେ ଭାରତୀୟ। ନରେନ୍ଦ୍ର ମୋଦୀ କହୁଛନ୍ତି ସେମାନେ ନୁହନ୍ତି। ନରେନ୍ଦ୍ର ମୋଦୀ କହୁଛନ୍ତି ଭାରତରେ ସେମାନେ ଦ୍ବିତୀୟ ଶ୍ରେଣୀର ନାଗରିକ। ମୁଁ ତାଙ୍କ ସହ ଏକମତ ନୁହେଁ ବୋଲି ରାହୁଲ ତାଙ୍କ କେମ୍ବ୍ରିଜ ଭାଷଣରେ କହିଥିଲେ। ଭାଷଣଟିର ଭିଡ଼ିଓ କ୍ଲିପ୍ ସେୟାର କରି ରିଜିଜୁ କହିଛନ୍ତି, ଭାରତ-ବିରୋଧୀ ଶକ୍ତି ରାହୁଲଙ୍କର ଏହି ଭାରତ-ବିରୋଧୀ ବିବୃତିର ଦୁରୁପଯୋଗ କରି ଭାରତର ଭାବମୂର୍ତ୍ତିକୁ କଳଙ୍କିତ କରିବାକୁ ଚେଷ୍ଟା କରୁଛନ୍ତି। ଭାରତର ଲୋକମାନେ ଜାଣନ୍ତି ଯେ ରାହୁଲ ଗାନ୍ଧି ଜଣେ ପପୁ। କିନ୍ତୁ ବିଦେଶୀମାନେ ସେ କଥା ଜାଣନ୍ତି ନାହିଁ। ରାହୁଲ ଗାନ୍ଧି ଇଂଲଣ୍ଡରେ ଭାରତର ଗଣତନ୍ତ୍ରକୁ ଅପମାନିତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।