ବିଦ୍ରୋହୀଙ୍କୁ ଭେଟିଲେ ‌ସୋନିଆ, ରାହୁଲ ପୁଣି ସଭାପତି!

ନୂଆଦିଲ୍ଲୀ: ଦଳର ପୁନର୍ଗଠନ ପାଇଁ ଗତ ଅଗଷ୍ଟରେ ୨୩ ଜଣ ନେତା ଚିଠି ଲେଖିଥିଲେ। ଚିଠି ଲେଖାଯିବାର ଦୀର୍ଘଦିନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ ଆଜି ଏକ ଦଳର ଏକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି। ୪ ଘଣ୍ଟାରୁ ଅଧିକ ସମୟ ଧରି ଅନୁଷ୍ଠିତ ଏହି ବୈଠକରେ କିଛି ଅସନ୍ତୁଷ୍ଟ ନେତାଙ୍କ ସମେତ ଦଳର ଅନ୍ୟ କେତେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ବୈଠକରେ ସୋନିଆ କହିଥିଲେ କଂଗ୍ରେସ ଏକ ବଡ଼ ପରିବାର। ତେଣୁ ସମସ୍ତେ ଦଳକୁ ମଜବୁତ କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ବୈଠକରେ କଂ‌ଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ବି ଏସ ହୁଦା, ଅମ୍ବିକା ସୋନି, ପି ଚିଦମ୍ବରମ, ବିବେକ ତନ୍‌ଖା, ଶଶୀ ଥରୁର, ମନିଷ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ୧୦ ଦିନ ଧରି ଚାଲିବ ବୋଲି ଦଳର ସାଧାରଣ ସଂପାଦକଙ୍କ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି। ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନ ଦୃଶ୍ୟପଟରେ କଂଗ୍ରେସର ରଣକୌଶଳ କ’ଣ ରହିବ ତାହା ଉପରେ ଆଲୋଚନା କରିବା ଲାଗି ସୋନିଆ ଏହି ବୈଠକ ଡାକିଥିଲେ ବୋଲି କୁହାଯାଉଛି। ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ପୱନ କୁମାର ବନସଲ୍‌ କହିଛନ୍ତି ଆଲୋଚନା ମୁଖ୍ୟତଃ ଦଳକୁ ଶକ୍ତିଶାଳୀ କରିବା ଉପରେ ହୋଇଥିଲା। ଦଳରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳରେ କିଛି ଅସନ୍ତୋଷ ନାହିଁ ବୋଲି ବନସଲ ସୂଚନା ଦେଇଛନ୍ତି। କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ପଞ୍ଚମାଢ଼ି ଓ ସିମଲା ଭଳି ଚିନ୍ତନ ଶିବିର ଖୁବ୍‌ଶୀଘ୍ର ଆୟୋଜନ କରାଯିବ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହାନ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ପୁଣି ଥରେ କଂଗ୍ରେସ ସଭାପତି ହୋଇପାରନ୍ତି। ସୋନିଆଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରୁ ଏଭଳି ସଂକେତ ମିଳିଛି। ବୈଠକରେ ଉଦବୋଧନ ଦେଇ ରାହୁଲ କହିଛନ୍ତି ଦଳର ନେତୃବୃନ୍ଦ ଯାହା ଚାହିବେ ତାହା କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ରାହୁଲ ଏହା କହିବା ପରେ ବୈଠକରେ ଉପସ୍ଥିତ ସବୁ ନେତା ତାଳି ମାରିଥିଲେ। ଏମାନଙ୍କ ମଧ୍ୟରେ ବିଦ୍ରୋହୀ ନେତାମାନେ ମଧ୍ୟ ରହିଥିଲେ। ନୂଆବର୍ଷରେ ଦଳ ନୂଆ ସଭାପତି ନିର୍ବାଚିତ କରିବାକୁ ଯାଉଥିବାରୁ ୫୦ ବର୍ଷୀୟ ରାହୁଲ ପୁଣି ଥରେ କଂଗ୍ରେସର ମଙ୍ଗ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ତୃଣମୂଳ ସ୍ତରର ଯତ୍ନ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର