ସୁରଟ: ରାହୁଲ ଗାନ୍ଧି ଆଜି ସୁରଟର ଅଦାଲତରେ ହାଜର ହେବା ସମୟରେ ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ବରିଷ୍ଠ ନେତା କେସି ବେଣୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ। କଂଗ୍ରେସ ନେତାମାନଙ୍କୁ ନେଇ ଦଳବଳ ସହିତ ଅଦାଲତକୁ ଯିବା ଘଟଣାକୁ ବିଜେପି ସମାଲୋଚନା କରିଛି। ବିଚାରବ୍ୟବସ୍ଥା ଉପରେ ଚାପ ପାଇଁ ଏହା ପିଲାଳିଆ ଉଦ୍ୟମ ବୋଲି ବିଜେପିର ନେତାମାନେ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଇଁ ବ୍ୟକ୍ତିଗତଭାବେ ଅଦାଲତ ଯାଇ ଆବେଦନ କରିବାର କୌଣସି ଆବଶ୍ୟକତା ନାହିଁ। ସାଧାରଣତଃ କୌଣସି ଦୋଷୀସାବ୍ୟସ୍ତ ବ୍ୟକ୍ତି ବ୍ୟକ୍ତିଗତ ଭାବେ ଏଥିପାଇଁ ଯାଇ ନଥାନ୍ତି। ଏହା କେବଳ ଏକ ଡ୍ରାମା ବୋଲି ରିଜିଜୁ ଟ୍ବିଟ କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦଳର ନେତାମାନେ ସୁରଟରେ ଉପସ୍ଥିତ ରହିବା ଶକ୍ତି ପ୍ରଦର୍ଶନ ନୁହେଁ ବରଂ ରାହୁଲଙ୍କ ପାଇଁ ସମର୍ଥନର ପ୍ରତୀକ। ଏଥିସହିତ ସୁରଟକୁ ଆସୁଥିବା କଂଗ୍ରେସ ନେତାମାନଙ୍କୁ ଗୁଜରାଟର ଅନେକ ସ୍ଥାନରେ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।