‘ନମୋ ସୁଟ୍‌’ ପରେ ‘ରାହୁଲ ଜ୍ୟାକେଟ୍‌’

ସିଲଂ: ସିଲଂରେ ନିକଟରେ ଅନୁଷ୍ଠିତ ଏକ ମ୍ୟୁଜିକ୍‌ କନ୍‌ସର୍ଟରେ ଅତିଥି ଭାବେ ଯୋଗଦେଇଥିବା ରହୁଲ ଗାନ୍ଧୀ ଯେଉଁ ଜ୍ୟାକେଟ୍‌ ପିନ୍ଧିଥିଲେ ତାହାର ମୂଲ୍ୟ ୭୦ ହଜାର ଟଙ୍କା ଥିବାରୁ ଏବେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ରାହୁଲ ଆଗାମୀ ମେଘାଳୟ ବିଧାନସଭା ନିର୍ବାଚନ ନେଇ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଏକ ମ୍ୟୁଜିକ୍‌ କନ୍‌ସର୍ଟକୁ ଦାମୀ ବ୍ରାଣ୍ଡ୍‌ର ଜ୍ୟାକେଟ୍‌ ପିନ୍ଧି ଯାଇଥିଲେ। ବିଜେପିର ମେଘାଳୟ ୟୁନିଟ ଏହାକୁ ସମାଲୋଚନା କରି ସୋସିଆଲ ମିଡିଆରେ ରାହୁଲଙ୍କ ଜ୍ୟାକେଟ୍‌ ଫଟୋ ସହ ଏକ ପୋଷ୍ଟ କରିଥିଲା। ମେଘାଳୟରେ ଗରିବଙ୍କ ରକ୍ତ ଶୋଷୁଥିବା ଦୁର୍ନୀତିଗ୍ରସ୍ତ ସରକାରଙ୍କ କଳା ଟଙ୍କାର ବନ୍ୟା ଛୁଟିଛି ଏବଂ ଏଠାରେ ସୁଟ୍‌ ବୁଟ୍‌ ସରକାର ଚାଲିଛି । ଆମ ଦୁଃଖ ଉପରେ ଆପଣ ଗୀତ ଗାଇବା ବଦଳରେ ମେଘାଳୟର ଅପରାଗ ସରକାରଙ୍କ ରିପୋର୍ଟ କାର୍ଡ ଦେଇପାରଥାନ୍ତେ ବୋଲି ଏହି ପୋଷ୍ଟ୍‍ରେ ଉଲ୍ଲେଖ କରାଯାଇଛି। ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ଏଭଳି ସମାଲୋଚନାକୁ କଂଗ୍ରେସ ହାସ୍ୟାସ୍ପଦ ବୋଲି କହିଛି। କଂଗ୍ରେସ ନେତା ରେଣୁକା ଚୌଧୁରୀ କହିଛନ୍ତି ଯେ ରାହୁଲ ଯେଭଳି ଜ୍ୟାକେଟ୍‌ ପିନ୍ଧିଛନ୍ତି ତାହାକୁ ମୁଁ ୭୦୦ ଟଙ୍କାରେ ମଧ୍ୟ ଦେଖାଇ ଦେଇପାରିବି। ତେବେ ରାହୁଲ ପିନ୍ଧିଥିବା ଜ୍ୟାକେଟ ସଂପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଛି। ବ୍ରିଟିଶ ଫେସନ୍‌ ବ୍ରାଣ୍ଡ ‘ବ୍ରୁବେରି’ର ଏହି ଜ୍ୟାକେଟ୍‌ର ଦାମ ୬୮ ହଜାର ୧୪୫ ଟଙ୍କା ବୋଲି ଜଣାପଡ଼ିଛି। ଏବେ ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ରାହୁଲ ପୂର୍ବରୁ ନିର୍ବାଚନୀ ସଭାରେ ନିଜର ଫଟା କୁର୍ତ୍ତା ଦେଖାଇଥିବା ବେଳେ ଏବେ ୭୦ ହଜାର ଟଙ୍କିଆ ଜ୍ୟାକେଟ ପିନ୍ଧି କାହାକୁ ପରିହାସ କରୁଛନ୍ତି ବୋଲି ପ୍ରଶ୍ନ ହେଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ ଲକ୍ଷ ଟଙ୍କିଆ ସୁଟ୍‌ ଚର୍ଚ୍ଚାରେ ରହିଥିଲା। ୨୦୧୫ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଉପହାର ମିଳିଥିବା ୧୦ ଲକ୍ଷ ଟଙ୍କାର ସୁଟ୍‌ ପରିଧାନ କରିଥିଲେ। ତେବେ କଂଗ୍ରେସ ଏହାକୁ ନେଇ କଡ଼ା ସମାଲୋଚନା କରିବା ପରେ ଏହି ସୁଟ୍‌କୁ ୪୩.୧ କୋଟି ଟଙ୍କାରେ ନିଲାମ କରାଯାଇଥିଲା।

ସମ୍ବନ୍ଧିତ ଖବର