ରାହୁଲ ବାହା ହେଲେ ଅଢେଇ ଲକ୍ଷ ମିଳିବ, କିନ୍ତୁ ମାନିବାକୁ ପଡ଼ିବ ଏହି ସର୍ତ୍ତ

'ଆମେ ଦୁଇ ଆମର ଦୁଇ' ପାଇଁ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପଡିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ:ନିଜର ଖୋଲା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଆରପିଆଇ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)ର ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବଲେ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଛନ୍ତି | ‘ଆମେ ଦୁଇ, ଆମର ଦୁଇ’ ବୟାନ ଦେଇ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବଲେ କହିଛନ୍ତି ଯେ,’ ରାହୁଲ ଗାନ୍ଧୀ ଆମେ ଦୁଇ, ଆମର ଦୁଇ ନାରା ଦେଉଥିବାବେଳେ ଏଥିପାଇଁ ତାଙ୍କୁ ବିବାହ କରିବାକୁ ପଡିବ | ଜଣେ ଦଳିତ ଝିଅକୁ ରାହୁଲ ବିବାହ କଲେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ମଧ୍ୟ ପୂରଣ ହେବ ‘|

ଏହା ସହ ରାମଦାସ କହିଛନ୍ତି ଯେ,’ଯଦି ରାହୁଲ ଜଣେ ଦଳିତ ଝିଅକୁ ବିବାହ କରନ୍ତି, ତେବେ ତାଙ୍କ ବିଭାଗ(ସାମାଜିକ ନ୍ୟାୟ ଓ ସଶକ୍ତିକରଣ) ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଅଢେଇ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିବ’ |

ସୂଚନା ମୁତାବକ ବଜେଟ ଅଧିବେଶନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ କିଛି ବର୍ଷ ପୂର୍ବେ ପରିବାର ନିୟୋଜନ ପାଇଁ ଆମେ ଦୁଇ ଆମର ଦୁଇ ନାରା ଦିଆଯାଉଥିଲା | ଆଜି ଏହି ନାରା ନୂଆ ଢଙ୍ଗରେ ସାମ୍ନାକୁ ଆସିଛି | ବର୍ତ୍ତମାନ ଦେଶ ୪ ଜଣ ଲୋକ ଚଳାଉଛନ୍ତି | ଆଜିର ସରକାରଙ୍କର ନାରା ହେଉଛି ‘ଆମେ ଦୁଇ-ଆମର ଦୁଇ’ | ଆଜିର ସରକାରଙ୍କର ଦୁଇ ଜଣ ସାଙ୍ଗ ଅଛନ୍ତି | ଜଣେ ସାଙ୍ଗଙ୍କୁ ଫଳ ଓ ପନିପରିବା ବିକିବାର ଅଧିକାର ଦିଆଯାଇଥିବାବେଳେ, ଏହାଦ୍ୱାରା ଠେଲା ଦୋକାନୀ ପ୍ରଭାବିତ ହେବେ | ଅନ୍ୟ ଜଣେ ସାଙ୍ଗ ଦେଶର ଶସ୍ୟ, ଫଳ ଓ ପନିପରିବାକୁ ନେଇ ଷ୍ଟୋର ପ୍ରତିଷ୍ଠା କରିବେ | ଲୋକସଭାରେ ରାହୁଲ କହିଥିଲେ ଯେ କୃଷି ଆଇନ ଲାଗୁ ହେଲେ ଦେଶର କୃଷକ ଓ ଛୋଟ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ ହୋଇଯିବ’ |

ସମ୍ବନ୍ଧିତ ଖବର