ଆଚରଣ ବିଧି ଉଲ୍ଲଂଘନ ମାମଲା: ଅଡ଼ୁଅ‌ାରେ ମୋଦୀ, ଶାହ, ରାହୁଲ

କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଆଜି, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଅମିତ ଶାହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ସଂପର୍କରେ ନିର୍ବାଚନ କମିସନ ଆସନ୍ତାକାଲି ତାଙ୍କର ନିଷ୍ପତ୍ତି ଶୁଣାଇବେ। ମୋଦୀ ଏବଂ ଶାହଙ୍କ ବିରୋଧରେ କମିସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ଆଜି ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେବାପରେ କମିସନ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। କମିସନର ଜଣେ ଅଧିକାରୀ କହିଛନ୍ତି ଯେ କେବଳ ମୋଦୀ ଓ ଶାହ ନୁହନ୍ତି, ରାହୁଲଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ମଧ୍ୟ କାଲି ନିଷ୍ପତ୍ତି ନିଆଯିବ। କାଲି ସୁପ୍ରିମ କୋର୍ଟରେ ମଧ୍ୟ ମାମଲାର ଶୁଣାଣି ହେବାର ଅଛି। ମୋଦୀ ଏବଂ ଶାହଙ୍କ ବିରୋଧରେ ଘୃଣା ସୃଷ୍ଟିକାରୀ ବୟାନ ଦେବା ସହ ସେନା କାର୍ଯ୍ୟାନୁଷ୍ଠାନ ନାମରେ ଭୋଟ୍‌ ମାଗୁଥିବା ଅଭିଯୋଗ ଥିବା ବେରେ ରାହୁଲଙ୍କ ବିରୋଧରେ ‘ଚୌକିଦାର ଚୋର ହୈ’ ପ୍ରଚାର କରୁଥିବାର ଅଭି‌େଯାଗ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପ୍ରତି ନିର୍ବାଚନ କମିସନଙ୍କ କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି ପୂର୍ବାହ୍ନନେ କଂଗ୍ରେସ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲା। କଂଗ୍ରେସର ସିଲଚର ସାଂସଦ ଏବଂ ଅଲ ଇଣ୍ଡିଆ ମହିଳା‌ କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବଙ୍କ ପକ୍ଷରୁ ଦାଖଲ ହୋଇଥିବ‌େ ପିଟିସନରେ ଅଭିଯୋଗ ହୋଇଛି ଯେ ମୋଦି ଓ ଶାହ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କରୁଛନ୍ତି। ଏହାସତ୍ତ୍ବେ ନିର୍ବାଚନ କମିସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଂଘଭିଙ୍କ ଦ୍ବାରା ଏହି ଆବେଦନକୁ ଜରୁରି ଶୁଣାଣି ତାଲିକାଭୁକ୍ତ କରିବାପାଇଁ ଅନୁରୋଧ କରାଯିବା ପରେ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆସନ୍ତାକାଲି ଏହି ଆବେଦନ ଉପରେ ଶୁଣାଣି କରିବେ ବୋଲି କହିଛନ୍ତି। କଂଗ୍ରେସ ସାଂସଦ ଦେବ ଅଭିଯୋଗ କରିଛନ୍ତି ଯେ ଉଭୟ ମୋଦୀ ଏବଂ ଶାହ ଗତ ୪ ସପ୍ତାହ ମଧ୍ୟରେ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏନେଇ ୪୦ରୁ ଅଧିକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ଇସି ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଇସି ପକ୍ଷପାତ ଆଚରଣ ଦେଖାଉଛନ୍ତି ଏବଂ ବେପରୁଆ କାର୍ଯ୍ୟ ଚଳାଇଛନ୍ତି। ଏହା ଦ୍ବାରା ନିର୍ବାଚନୀ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ବୋଲି ଦେବ ଆବେଦନରେ ଦର୍ଶାଯାଇଛି।

ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ ଶାହ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଏବଂ ରାଜ୍ୟ ଗୁଡ଼ିକରେ ବିଦ୍ବେଶ ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି ଏବଂ ସେନାର କାର୍ଯ୍ୟକ୍ରମକୁ ପ୍ରଚାରରେ ବ୍ୟବହାର କରିଛନ୍ତି ବୋଲି କଂଗ୍ରେସ ସାଂସଦ ଦେବ ଦାବି କରିଛନ୍ତି। ବଳିଷ୍ଠ ପ୍ରମାଣ ସତ୍ତ୍ବେ କମିସନ ଏହି ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମ୍ବିଧାନର ଧାରା ୧୪ ଏବଂ ୨୧ର ଉଲ୍ଲଂଘନ କରିଛି। କଂଗ୍ରେସ ସାଂସଦଙ୍କ ଆବେଦନରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ମୋଦୀ ଗତ ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ରୢାଲି କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିଲେ।

ସମ୍ବନ୍ଧିତ ଖବର