ରାହୁଲଙ୍କ ‘ମୋଦୀ ପ୍ରାଇମ୍ ଟାଇମ୍ ମିନିଷ୍ଟର’ ଟ୍ବିଟ୍‌ର ଜବାବ ରଖିଲା ବିଜେପି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କୁ ପ୍ରାଇମ୍ ଟାଇମ୍ ମିନିଷ୍ଟର ବୋଲି ସମାଲୋଚନା କରି ନିଜ ଟ୍ବିଟରରେ ସେ ସଂକ୍ରାନ୍ତ ଫଟୋ ଟ୍ବିଟ୍ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବିଜେପି କଡ଼ା ଜବାବ ଦେଇଛି। ଗତ ୧୪ ତାରିଖ ଫୁଲଵାମା ଆକ୍ରମଣ ପରେ ବି ମୋଦୀ ଫଟୋ ସୁଟିଂରେ ବ୍ୟସ୍ତ ଥିଲେ ବୋଲି ଦର୍ଶାଇ ରାହୁଲ ଟ୍ବିଟରରେ ଛାଡ଼ିଥିବା ଫଟୋ ସବୁ ଉକ୍ତ ବର୍ବର ଘଟଣାର ଯଥେଷ୍ଟ ଆଗରୁ ସେ ଦିନ ସକାଳେ ସୁଟିଂ ହୋଇଥିଲା ବୋଲି ବିଜେପି ପକ୍ଷରୁ ସଫେଇ ଦିଆଯାଇଛି। ଏଥି ସହିତ ରାହୁଲ ଅଯଥାରେ ମିଛ କହି ଦେଶବାସୀଙ୍କତୁ ବିଭ୍ରାନ୍ତ କରୁଛନ୍ତି ବୋଲି କୁହାଯାଇଛି। ଫେବ୍ରୁଆରି ୧୪ ତାରିଖ ପୁଲଵାମା ଆକ୍ରମଣ ଘଟଣା ପ୍ରଚାରିତ ହେବା ପରେ ସୁଦ୍ଧା ମୋଦୀ ସେଦିନ ସନ୍ଧ୍ୟା ସାଢ଼େ ୬ଟା ଯାଏ ଉତ୍ତରାଖଣ୍ଡରେ ଏକ ଡକୁମେଣ୍ଟାରି ପାଇଁ ଚିତ୍ରୋତ୍ତଳନରେ ବ୍ୟସ୍ତ ଥିଲେ ବୋଲି ରାହୁଲ ଟ୍ବିଟ୍ କରି ତାଙ୍କୁ ପ୍ରାଇମ୍ ଟାଇମ୍ ମିନିଷ୍ଟର ବୋଲି ଆକ୍ଷେପ କରିଥିଲେ। ଏପରିକି ମୋଦୀ ସେଠାରେ ନୌବିହାରର ମଜା ନେଉଥିବାର ଏକ ଦୃଶ୍ୟର ଫଟୋ ମଧ୍ୟ ରାହୁଲ ଛାଡ଼ିବାକୁ ଭୁଲିନଥିଲେ। ତେବେ ସେଦିନ ସକାଳେ ଉଠାଯାଇଥିବା ସେହିସବୁ ଫଟୋକୁ ଟ୍ବିଟରରେ ଛାଡ଼ି ଅଯଥା ମିଛ ବାର୍ତ୍ତା ପ୍ରଚାର କରିବାରୁ ନିବୃତ୍ତ ରହିବାକୁ ବିଜେପି ରାହୁଲଙ୍କୁ ପରାମର୍ଶ ଦେଇଛି। ଏପରିକି କଂଗ୍ରେସ ଅଧ୍ୟକ୍ଷଙ୍କୁ କଡ଼ା କଟାକ୍ଷ କରି ବିଜେପି କହିଛି, ‘ପୁଲଵାମା ଆକ୍ରମଣ ସମ୍ପର୍କରେ ଆପଣ ଯଥେଷ୍ଟ ଆଗରୁ ଜାଣିଥାଇପାରନ୍ତି, ମାତ୍ର ଦେଶବାସୀ ତାହା ସନ୍ଧ୍ୟାରେ ହିଁ ଜାଣିଥିଲେ। ତେବେ ସରକାରଙ୍କୁ ଯଦି ଘେରିବାର ଇଚ୍ଛା, ଯବାନମାନଙ୍କ ବଳିଦାନ ନିହିତ ଥିବା ପ୍ରସଙ୍ଗକୁ ଏପରି ଲଜ୍ଜାଜନକ ଭାବେ ଉତ୍ଥାପନ ନକରି ଆଗକୁ ଅନ୍ୟ କୌଣସି ଯୁକ୍ତିଯୁକ୍ତ ସମାଲୋଚନା ଆଣନ୍ତୁ।’

ସମ୍ବନ୍ଧିତ ଖବର