ମୃତ୍ୟୁବାର୍ଷିକୀରେ ଜେଜେଙ୍କୁ ଭୁଲିଗଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ : ଆଉ ଗୋଟିଏ ସେପ୍ଟେମ୍ବର ୮ ଗଲା, ଯାହା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଜେଜେବାପା ତଥା ଇନ୍ଦିରା ଗାନ୍ଧିଙ୍କ ସ୍ବାମୀ ଫିରୋଜ ଗାନ୍ଧିଙ୍କର ମୃତ୍ୟୁ ତାରିଖ। ଏ ଥର ବି ସବୁବର୍ଷ ପରି ସମାନ ଘଟଣା ଘଟିଲା। କଂଗ୍ରେସ କଥା ଛାଡ଼ ଫିରୋଜ ଗାନ୍ଧିଙ୍କୁ ତାଙ୍କ ନାତିନାତୁଣୀମାନେ ବି ମନେପକାଉ ନାହାନ୍ତି।

ଜେଜେବାପାଙ୍କ ମୃତ୍ୟୁ ବାର୍ଷିକୀରେ ସମାଧିସ୍ଥଳକୁ ଯାଇ ଫୁଲମାଳଟିଏ ଅର୍ପଣ କରିବା ବା ମୁଣ୍ଡିଆ ମାରିବା ଦୂରେ ଥାଉ ରାହୁଲ ଓ ପ୍ରିୟଙ୍କା ଟ୍ବିଟ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଟିକିଏ ବି ଜଣାଇ ନାହାନ୍ତି। ୮ ସେପ୍ଟେମ୍ବରରେ ରାହୁଲ ଟ୍ବିଟରରୁ ପୂରା ଉଭାନ ହୋଇଯାଇଥିଲେ। ଅନ୍ୟପକ୍ଷରେ ଟ୍ବିଟରରେ ପ୍ରିୟଙ୍କା ଗାନ୍ଧିଭଦ୍ରାଙ୍କର ସଂଗୀତ ସମ୍ରାଟ୍ ଭୂପେନ ହଜାରିକାଙ୍କ ଜନ୍ମବାର୍ଷିକୀ କଥା ମନେପଡ଼ିଲା କିନ୍ତୁ ନିଜ ଜେଜେବାପାଙ୍କ ମୃତ୍ୟୁବାର୍ଷିକୀ ମନେପଡ଼ିଲାନି। ସେହିପରି ରାହୁଲ ଫେସ୍‌ବୁକ୍‌ରେ ଭୂପେନ ହଜାରିକାଙ୍କୁ ମନେପକାଇଛନ୍ତି କିନ୍ତୁ ଜେଜେବାପା ଫିରୋଜ ଗାନ୍ଧିଙ୍କ କଥା ତାଙ୍କର ମନେ ପଡ଼ିଲା ନାହିଁ। ଏହାକୁ ନେଇ ସୋସିଆଲ ମିଡ଼ିଆରେ ସେମାନଙ୍କୁ ନାନା ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର