ଆମେଠି: ଉତ୍ତର ପ୍ରଦେଶ ନିର୍ବାଚନ ଘନେଇ ଆସୁଥିବା ବେଳେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି ତାଙ୍କର ପୁରାତନ ଦୁର୍ଗ ଆମେଠିରେ ପହଞ୍ଚିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନରେ ପରାଜିତ ହେବାର ପ୍ରାୟ ଅଢ଼େଇ ବର୍ଷ ପରେ ରାହୁଲ୍‌ ପ୍ରଥମ କରି ଆମେଠି ଗସ୍ତରେ ଆସିଛନ୍ତି।

Advertisment

ଶନିବାର ସକାଳେ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବା ପରେ କଂଗ୍ରେସ ପାର୍ଟିର ସାଧାରଣ ସଚିବ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସହ ଯୋଗ ଦେଇଥିଲେ। ସଡ଼କ ପଥରେ ରାହୁଲ୍‌ ଆମେଠି ଯିବେ।

ଅମେଠିରେ ରାହୁଲ୍‌, ପ୍ରିୟଙ୍କା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲ୍ଲୁ ଜଗଦୀଶପୁର ରାମଲୀଳା ପଡ଼ିଆରୁ ହରିମାଉ ପର୍ଯ୍ୟନ୍ତ ଦୀର୍ଘ ୬ କିଲୋମିଟର୍‌ ପଦଯାତ୍ରା କରିବେ। ପଦଯାତ୍ରାରେ ଯୋଗ ଦେବା ପାଇଁ ପ୍ରାୟ ୫୦ ହଜାର କଂଗ୍ରେସ କର୍ମୀ ଆସିବେ ବୋଲି ଆଶା କରାଯାଉଛି।

publive-image Image Courtesy of NDTV

୧୫ ବର୍ଷ ଧରି ଆମେଠିର ପ୍ରତିନିଧିତ୍ବ କରିଥିବା ରାହୁଲ୍‌ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ‘ବିଜେପି’ର ସ୍ମୃତି ଇରାନୀଙ୍କ ଠାରୁ ୫୫,୧୨୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ। ରାହୁଲ୍‌ ଗାନ୍ଧୀଙ୍କ ପରାଜୟ ପୂର୍ବରୁ ଆମେଠିକୁ ଗାନ୍ଧୀ ପରିବାରର ଦୁର୍ଗ ବୋଲି ବିବେଚନା କରାଯାଉଥିଲା।

publive-image Image Courtesy of India Today

ଆମେଠି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା ୫ଟି ବିଧାନସଭା ଆସନରୁ ଆମେଠି, ଜଗଦୀଶପୁର, ସାଲୋନ୍‌ ଏବଂ ତିଲୋଇର ପ୍ରତିନିଧିତ୍ବ କରୁଛି ‘ବିଜେପି’। ପଞ୍ଚମ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୌରୀଗଞ୍ଜର ପ୍ରତିନିଧିତ୍ବ କରୁଛି ‘ସମାଜବାଦୀ ପାର୍ଟି’।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାହଜାହାନପୁର ଏବଂ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ରାଏବରେଲିରେ ରାଲି କରୁଥିବା ବେଳେ ରାହୁଲ୍‌ ଗାନ୍ଧୀ ଆମେଠି ଗସ୍ତରେ ଆସିଛନ୍ତି।