‘ରାହୁଲ ଓ ପ୍ରିୟଙ୍କା ଗାନ୍ଧି ପେଟ୍ରୋଲ ବୋମା, ଯେଉଁ ସ୍ଥାନକୁ ଯିବେ ନିଆଁ ଲଗାଇବେ’ : ବିଜେପି ନେତାଙ୍କ ବିବାଦୀୟ ବୟାନ

ଗୁରୁଗ୍ରାମ : ହରିୟାଣାର ମନ୍ତ୍ରୀ ଅନୀଲ ବିଜ୍‌ ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାଆନ୍ତି । ଆଜି ସେ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ହେଉଛନ୍ତି ପେଟ୍ରୋଲ ବୋମା । ସେମାନେ ଯେଉଁ ସ୍ଥାନକୁ ଯିବେ ସେଠାରେ ନିଆଁ ଲଗାଇବେ । ଏଣୁ ଦେଶବାସୀ ସେମାନଙ୍କୁ ନେଇ ସତର୍କ ରହିବା ଆବଶ୍ୟକ ।

ମିରଟ ଯିବାବେଳେ ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ପୁଲିସ ଅଟକାଇବା ପ୍ରସଙ୍ଗରେ ସେ ଏକଥା କହିଛନ୍ତି । ଉଭୟ କଂଗ୍ରେସ ନେତା ନାଗରିକତା ଆଇନ ବିରୋଧୀ ହିଂସାରେ ନିହତ ହୋଇଥିବା ବ୍ୟକ୍ତିମାନଙ୍କ ପରିବାର ବର୍ଗକୁ ଭେଟିବାକୁ ସେଠାକୁ ଯିବାବେଳେ ପୁଲିସ ତାଙ୍କୁ ଛାଡ଼ିନଥିଲା । ମିରଟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଓ ଧାରା ୧୪୪ ଲାଗୁ ରହିଥିବାରୁ ସେମାନଙ୍କୁ ଛଡ଼ାଯାଇପାରିବ ନାହିଁ ବୋଲି ପୁଲିସ କହିଥିଲା । ପୁଲିସ ମନାକରିବାପରେ ସେମାନେ ଦିଲ୍ଲୀ ଫେରିଯାଇଥିଲେ ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଉତ୍ତରପ୍ରଦେଶରେ ଉତ୍ତେଜନା ଜାରି ରହିଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।
ବିବାଦରେ ରହିବା ଅନୀଲଙ୍କ ପାଇଁ ନୂଆ ନୁହେଁ, ପୂର୍ବରୁ ମଧ୍ୟ ସେ ଅନେକ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ପଦ୍ମାବତ ଚଳଚ୍ଚିତ୍ରକୁ ହରିୟାଣାରେ ନିଷିଦ୍ଧ କରିବାକୁ ସେ ଦାବି କରିଥିଲେ ।

ସମ୍ବନ୍ଧିତ ଖବର