ଆମେଥୀରେ ରାହୁଲଙ୍କ ଅଡ଼ୁଆ ବଢ଼ିଲା, କଂଗ୍ରେସ ନେତାଙ୍କ ପୁଅ ବିଦ୍ରୋହୀ ପ୍ରାର୍ଥୀ
ସପା ନେତାଙ୍କ ସମର୍ଥନ, ରାହୁଲଙ୍କ ପାଇଁ ଡବଲ୍ ଚ୍ୟାଲେଂଜ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭିଆଇପି ଆସନଗୁଡ଼ିକ ମଧ୍ୟରୁ ଆମେଥୀ ସର୍ବାଧିକ ଚର୍ଚ୍ଚାରେ ରହିଛି । ଏହି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଆମେଥୀରେ କଂଗ୍ରେସକୁ ଏଥର ଶକ୍ତ ଝଟ୍କା ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରସ୍ତାବକ ଥିବା ଜଣେ ଟାଣୁଆ କଂଗ୍ରେସ ନେତାଙ୍କ ପୁଅ ଏବେ ରାହୁଲଙ୍କ ବିରୋଧରେ ଆମେଥୀରୁ ନିର୍ବାଚନ ଲଢ଼ୁଥିବାରୁ କଂଗ୍ରେସର ଚିନ୍ତା ବଢ଼ିଯାଇଛି। ଅନ୍ୟପକ୍ଷେ ଆମେଥୀରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନି ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ରାହୁଲଙ୍କୁ ଡବଲ୍ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି। କଂଗ୍ରେସର ଏହି ବିଦ୍ରୋହୀ ପ୍ରାର୍ଥୀଙ୍କୁ ସମାଜବାଦୀ ପାର୍ଟି ନେତାମାନେ ସମର୍ଥନ କରୁଥିବା ଜଣାପଡ଼ିଛି। କଂଗ୍ରେସ ନେତା ହାଜି ସୁଲତାନ ଖାନ୍ଙ୍କ ପୁଅ ହାଜି ହରୁନ୍ ରଶିଦ୍ ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ତେବେ କଂଗ୍ରେସ ନେତା ହାଜି ସୁଲତାନ୍ ଖାନ୍ ୧୯୯୧ ସଂସଦୀୟ ନିର୍ବାଚନରେ ରାଜୀବ ଗାନ୍ଧୀ ଏବଂ ୧୯୯୯ରେ ସୋନିଆ ଗାନ୍ଧୀଙ୍କ ନାମାଙ୍କନପତ୍ରରେ ଜଣେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଥିଲେ। କିନ୍ତୁ କଂଗ୍ରେସ ଉପରେ ଭୀଷଣ ଭାବେ କ୍ଷୁବ୍ଧ ଥିବା ହାଜି ସୁଲତାନ୍ ଖାନ୍ଙ୍କ ପୁଅ ରଶିଦ୍ କହିଛନ୍ତି, କଂଗ୍ରେସରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ସ୍ଥାନୀୟ ନେତୃତ୍ବ ପାଇଁ ଏବେ ସମଗ୍ର ସମ୍ପ୍ରଦାୟ ଅବହେଳିତ । ତେଣୁ ଲୋକମାନଙ୍କର ମଙ୍ଗଳ ଏବଂ ଅଞ୍ଚଳର ବିକାଶ ପାଇଁ ସେ ରାହୁଲଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆମେଥୀ ନିର୍ବାଚନମଣ୍ଡଳୀରେ ୬.୫ ଲକ୍ଷ ମୁସଲିମ୍ ଭୋଟର ଅଛନ୍ତି ଏବଂ ସମସ୍ତେ କଂଗ୍ରେସ ବିରୋଧରେ ଭୋଟ୍ ଦେବେ ବୋଲି ସେ କହିଛନ୍ତି।