ଗେହଲଟଙ୍କ ଗଡ଼ରେ ଶାହ: ରାହୁଲ ପ୍ରଥମେ ଇତିହାସ ପଢ଼ନ୍ତୁ

‘ଭାରତ ଯୋଡ଼ୋ’ ଯାତ୍ରାକୁ ଟାର୍ଗେଟ୍‌

ଜୟପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ରାଜସ୍ଥାନ ଗସ୍ତରେ ଅଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗଡ଼ ଯୋଧପୁରରେ ଶାହ ଆଜି ବିଜେପି ଓବିସି ମୋର୍ଚ୍ଚାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଯୋଗ ଦେଇଛନ୍ତି। ଦଳର ଓବିସି ଭୋଟ୍‌ ବ୍ୟାଙ୍କ୍‌ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ହୋଇଛି। ଏହି ବୈଠକ ପରେ ଶାହ ଯୋଧପୁରର ଦଶହରା ପଡ଼ିଆରେ ବିଜେପିର ବୁଥ୍‌ସ୍ତରୀୟ କର୍ମୀଙ୍କ ସମାବେଶରେ ଉଦ୍‌ବୋଧନ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’କୁ ଶାହ ଏହି ଅବସରରେ କଡ଼ା ସମାଲୋଚନା କରିଥିଲେ। ଶାହ କହିଥିଲେ, ରାହୁଲ ପ୍ରଥମେ ଦେଶର ଇତିହାସ ପଢ଼ିବା ଉଚିତ। ରାହୁଲ ବିଦେଶୀ ବ୍ରାଣ୍ଡ୍‌ ଟି ସାର୍ଟ ଏବଂ ଜର୍ସି ପିନ୍ଧି ‘ଭାରତ ଯୋଡ଼ୋ ଯାତ୍ରା’ରେ ଯାଉଛନ୍ତି। ରାହୁଲ ସଂସଦରେ ଦେଇଥିବା ଏକ ଭାଷଣକୁ ମୁଁ ମନେ ପକାଇ ଦେବାକୁ ଚାହୁଛି।

ରାହୁଲ ବାବା କହିଥିଲେ ଭାରତ ଏକ ଦେଶ ନୁହେଁ। ତେବେ ରାହୁଲ ବାବା କେଉଁ ପୁସ୍ତକରୁ ଏହା ପଢ଼ିଥିଲେ। ଏହି ଦେଶ ପାଇଁ ଲକ୍ଷ ଲକ୍ଷ ଲୋକ ପ୍ରାଣବଳି ଦେଇଛନ୍ତି ଏବଂ ଏହି ମହାନ ଦେଶକୁ ପୁଣି ଥରେ ବିଶ୍ବଗୁରୁ କରିବା ଲକ୍ଷ୍ୟରେ ନରେନ୍ଦ୍ର ମୋଦୀ ସରକାର ଅହରହ କାମ କରୁଛନ୍ତି। ଶାହ କହିଥିଲେ, ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରାରେ ଯାଉଛନ୍ତି କିନ୍ତୁ ମୁଁ ଭାବୁଛି ସେ ପ୍ରଥମେ ଭାରତ ଇତିହାସ ଅଧ୍ୟୟନ କରିବା ଉଚିତ। ଇତିହାସକୁ ଭଲ ଭାବେ ବୁଝିଲେ ହିଁ ଦେଶ ଓ ଦେଶବାସୀଙ୍କୁ ସେ ଭଲଭାବେ ବୁଝିପାରିବେ ବୋଲି ଶାହ କହିଥିଲେ। କଂଗ୍ରେସର ଆଭିମୁଖ୍ୟକୁ ବିକାଶ ବିରୋଧୀ ଦର୍ଶାଇ ସେ କହିଥିଲେ ଯେ କଂଗ୍ରେସ କେବଳ ତୁଷ୍ଟୀକରଣ ଏବଂ ଭୋଟ୍‌ ବ୍ୟାଙ୍କ ରାଜନୀତି ପାଇଁ କାମ କରୁଛି ।

ସମ୍ବନ୍ଧିତ ଖବର