ରିଲାକ୍ସ ହେଉଛନ୍ତି ରାହୁଲ, କୁକୁର ସହ ଭ୍ରମଣରେ ବାହାରିଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଧୀରେ ଧୀରେ ରିଲାକ୍ସ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ | ଇସ୍ତଫା ଦେବାକୁ ଅଡ଼ି ବସିଥିବା ରାହୁଲ ଏବେ ଥଣ୍ଡା ହେବାରେ ଲାଗିଛନ୍ତି | ଦିଲ୍ଲୀ ରାସ୍ତାରେ ରାହୁଲ, ତାଙ୍କ ପୋଷା କୁକୁର ପିଡି ସହ କାରରେ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି |

ସକାଳେ ନିଜ କୁକୁର ସହ ବୁଲିବାର ଫଟୋକୁ ଦିଲ୍ଲୀରେ ଥିବା ଜନୈକ ସାମ୍ବାଦିକ ଉଠାଇଥିଲେ | ରାହୁଲ ବି ସ୍ମିତହାସ୍ୟ ଦେଇ ନିଜର ଖୁସି ପ୍ରକାଶ କରିଥିଲେ | ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ଉପରେ ଖପ୍ପା ହୋଇଯାଇଥିଲେ | ପୁତ୍ରମୋହ ଯୋଗୁଁ କଂଗ୍ରେସ ହାରିଛି ବୋଲି ରାହୁଲ କହିଥିଲେ |

କଂଗ୍ରେସ ନେତା ପି ଚିଦାମ୍ବରମ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନେଇ କ୍ଷୁବ୍ଧ ହୋଇଥିଲେ | ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନେଇ ଅଡ଼ି ବସିଥିଲେ | ସେଥିପାଇଁ ମଙ୍ଗଳବାର ରାହୁଲଙ୍କୁ ମନାଇବାକୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା ରାହୁଲଙ୍କ ବାସଭବନ ଯାଇଥିଲେ |  ଏହା ପୂର୍ବରୁ ସୋମବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟଙ୍କୁ ଭେଟିବାକୁ ରାହୁଲ ମନା କରିଦେଇଥିଲେ | ତେବେ ରାହୁଲ ଏବେ ଧୀରେ ଧୀରେ ଶାନ୍ତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି|

ସମ୍ବନ୍ଧିତ ଖବର