ଲକ୍ଷାଧିକ ଲୋକଙ୍କ ପ୍ରାର୍ଥନା ସଫଳ; ୫ ଦିନ ବୋର୍‌ୱେଲ୍‌ ଭିତରେ ରହିବା ପରେ ଉଦ୍ଧାର ହେଲା ଲଢ଼ୁଆ ବାଳକ ରାହୁଲ

ଚିକିତ୍ସା ପାଇଁ ଗ୍ରୀନ କରିଡରରେ ଆଇସିୟୁ ଆମ୍ବୁଲାନ୍ସରେ ବିଳାସପୁର ଗଲା ରାହୁଲ

ଝାରସୁଗୁଡ଼ା: ଛତିଶଗଡ଼ରେ ବୋରୱେଲରେ ଖସିପଡ଼ିଥିବା ବ‌ାଳକର ଉଦ୍ଧାରକାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଛି। ଦୀର୍ଘ ୫ ଦିନ ହେବ ୮୦ ଫୁଟ୍ ଗଭୀର ନଳକୂପରେ ଖସି ପଡ଼ିଥିବା ୧୦ ବର୍ଷର ମୂକ ବଧିର ବାଳକ ରାହୁଲ୍ ସାହୁ ଉଦ୍ଧାର ପାଇବା ପରେ ଚାରିଆଡ଼େ ଖୁସିର ଲହରି ଖେଳିଯାଇଛି। ବୋରୱେଲରୁ ଉଦ୍ଧାର ହେବା ପରେ ଚିକିତ୍ସା ପାଇଁ ରାହୁଲକୁ ବିଳାସପୁରସ୍ଥିତ ଆପଲୋ ହସ୍‌ପିଟାଲକୁ ଗ୍ରୀନ୍‌ କରିଡରରେ ଆଇସିୟୁ ଆମ୍ବୁଲାନ୍ସରେ ନିଆଯାଇଛି। ରାହୁଲକୁ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରୀଟିମ୍‌ ଲାଗି ପଡିଛନ୍ତି। ତାଙ୍କ ପିତାମାତାଙ୍କୁ ଆଉ ଗୋଟିଏ ଆମ୍ବୁଲାନ୍ସରେ ନିଆଯାଇଛି।

ବୋରୱେଲରୁ ଉଦ୍ଧାର ହେବା ପୂର୍ବରୁ ଜୀବନ-ମୃତ୍ୟୁ ସହିତ ସଂଘର୍ଷ କରୁଥିବା ରାହୁଲ ମନରେ ଆଶାର ଆଲୋକ ସୃଷ୍ଟି ହୋଇଥିଲା। ତା ମନରେ ନୂଆ ଆଶା ଜାଗିଉଠିଥିଲା ଓ ସେ ଚିତ୍କାର କରିଥିଲା। ମେଡିକାଲ ଟିମ୍  ଷ୍ଟ୍ରେଚର, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ନେଇ ରାହୁଲ ପାଖକୁ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଟନେଲ ଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ କରିଡର କରିସାରିଥିଲେ। କାରଣ ଯେକୌଣସି ସମୟରେ ରାହୁଲକୁ ଉଦ୍ଧାର କରାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ରାହୁଲର ବାପା-ମା’ଙ୍କୁ ମଧ୍ୟ ଆମ୍ବୁଲାନ୍ସକୁ ଅଣାଯାଇସାରିଥିଲା।

ରାହୁଲକୁ ବୋରୱେଲ ଭିତରେ ବଞ୍ଚିରହିବା ପାଇଁ ଖାଇବାକୁ କଦଳୀ ପଠ‌ାଯାଉଥିଲା। ମାତ୍ର ଗତକାଲିଠାରୁ ଆଉ ରାହୁଲ ଖାଦ୍ୟ ଗ୍ରହଣ କରୁନଥିଲା। ମାତ୍ର ତା’ର ଆଖିପତା ହଲୁଥିଲା ଓ ରାହୁଲ୍‌ ରେସ୍‌ପଣ୍ଡ କରୁଥିବା ସୂଚନା ଦେଇଥିଲେ ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା। ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର ଲାଗି ଲକ୍ଷାଧିକ ଲୋକଙ୍କ ପୂଜାପ୍ରାର୍ଥନା ଫଳ ଦେଇଛି। ‌ଶେଷରେ ନୂଆ ଜୀବନ ଫେରିପାଇଛି ରାହୁଲ୍‌। ଉଦ୍ଧାର ପରେ ଚିକିତ୍ସା ପାଇଁ ରାହୁଲକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବିଲାସପୁରସ୍ଥିତ ଏକ ହସ୍ପିଟାଲ୍‌କୁ ନିଆଯାଇଛି।

ଉଦ୍ଧାରକାରୀ ସେନାର ଯବାନମାନେ ରାହୁଲଙ୍କ ଅତି ନିକଟରେ ପହଞ୍ଚି ତା’ର ସ୍ବର ଶୁଣିଥିବାରୁ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଥିଲା। ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ବର୍ଷର ମୂକ-ବଧିର ବାଳକକୁ ଉଦ୍ଧାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନିର୍ଦ୍ଦେଶକ୍ରମେ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର ପାଞ୍ଚ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ।

ଗତ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗ୍ରାମର ରାହୁଲ ଉକ୍ତ ଗର୍ତ୍ତରେ ଖସିପଡ଼ିଥିଲେ। ରାହୁଲର ବାପା ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ଗଭୀର ନଳକୂପ ଖୋଳିଥିଲେ। ତେବେ, ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲେ। ରାହୁଲ ସେଇ ପାଖରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁଟି ପାଣି କାଦୁଅ ଭିତରେ ଦୀର୍ଘଘଣ୍ଟା ଧରି ରହି ନିସ୍ତେଜ ହୋଇ ଯାଇଥିବା ବେଳେ ତାକୁ କିଛି ସମୟ ବ୍ୟବଧାନରେ କଦଳୀ ଖାଇବାକୁ ଦିଆଯାଉଥିଲା। ଶେଷ ୪ ଫୁଟ୍ କଠିନ ପଥର ବାହାରିଥିବାରୁ ଏହାକୁ ଭେଦ କରି ସୁଡ଼ଙ୍ଗ ଖୋଳିବା ଉଦ୍ଧାରକାରୀ ଦଳ ପାଇଁ ବଡ଼ ଚାଲେଞ୍ଜ୍ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର