ଲୋକସଭାରେ ଆଦାନିଙ୍କୁ ନେଇ ଗର୍ଜିଲେ ରାହୁଲ

ମୋଦୀଙ୍କୁ ୪ଟି ପ୍ରଶ୍ନ, କଡ଼ା ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶିଳ୍ପପତି ଗୌତମ ଆଦାନିଙ୍କୁ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇବା‌ରେ ସହଯୋଗ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି, ତାମିଲନାଡୁଠାରୁ ଆରମ୍ଭ କରି କେରଳ ଏବଂ ହିମାଚଳପ୍ରଦେଶ ପର୍ଯ୍ୟନ୍ତ ସବୁଠି କେବଳ ଆମେ ଗୋଟିଏ ନାମ ‘ଆଦାନି’ ଶୁଣିଛୁ। ରାହୁଲ କହିଛନ୍ତି, ଭାରତ ଯାଡ଼ା ଯାତ୍ରା ସମୟରେ ଲୋକମାନେ ମତେ ପଚାରିଛନ୍ତି, ଆଦାନି କିଭଳି ବିଭିନ୍ନ କ୍ଷେତ୍ରରେ ଏତେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ? ରାହୁଲ ଲୋକସଭାରେ କହିଛନ୍ତି, ମୋଦୀ ଯେଉଁ ରାଷ୍ଟ୍ରକୁ ଯାଇଛନ୍ତି ସେଠାରେ ଆଦାନି କଣ୍ଟ୍ରାକ୍ଟ ପାଇଛନ୍ତି। ଆଦାନି ଗ୍ରୁପ୍‌ ୬ ବିମାନବନ୍ଦର କଣ୍ଟ୍ରାକ୍ଟ ପାଇବାପାଇଁ ନିୟମ ବି ବଦଳାଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ ମୋଦୀଙ୍କୁ ଆଜି ୪ଟି ପ୍ରଶ୍ନ କରିଛନ୍ତି। ଉକ୍ତ ୪ଟି ପ୍ରଶ୍ନ ହେଉଛି- ଆପଣ ଏବଂ ଆଦାନି କେତେଥର ଏକାଠି ବିଦେଶ ଗସ୍ତ କରିଛନ୍ତି ? ଆପଣଙ୍କ ବିଦେଶ ଗସ୍ତ ସମୟରେ ଆଦାନି କେତେଥର ଆପଣଙ୍କ ସହ ଯୋଗ‌ ଦେଇଛନ୍ତି ? ଆପଣ ଯେଉଁ ବିଦେଶ ରାଷ୍ଟ୍ର ଗସ୍ତରେ ଯାଇଛନ୍ତି ତା’ର ଠିକ୍‌ ପରେ ସେହି ରାଷ୍ଟ୍ରକୁ ଆଦାନି କେତେଥର ଯାଇଛନ୍ତି? ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଆଦାନି ବିଜେପିକୁ କେତେ ଟଙ୍କା ଦେଇଛନ୍ତି ?

ରାହୁଲ କହିଛନ୍ତି, ଅନେକ ବର୍ଷ ତଳୁ ମୋଦୀ ଏବଂ ଆଦାନିଙ୍କ ସମ୍ପର୍କ ଆରମ୍ଭ ହୋଇଛି। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆଦାନୀ ତାଙ୍କ ସହ ଥିଲେ। ମୋଦୀଙ୍କ ପ୍ରତି ସେ ପୂର୍ବରୁ ବିଶ୍ବସ୍ତ ଥିଲେ। ପ୍ରଗତିଶୀଳ ଗୁଜରାଟ ଗଠନ କରିବାରେ ସେ ମୋଦୀଙ୍କୁ ସହଯୋଗ କରିଥିଲେ ଏବଂ ଅସଲ ମ୍ୟା‌ଜିକ୍‌ ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ହିଁ ଆରମ୍ଭ ହୋଇଥିଲା। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କୁ ଆଜି କଡ଼ା ଜବାବ ଦେଇଛନ୍ତି । ରିଜିଜୁ କହିଛନ୍ତି, ଏଭଳି ଭିତ୍ତିହୀନ ଏବଂ ଲଜ୍ଜାହୀନ ଅଭିଯୋଗ ଆଣି ରାହୁଲ କେବଳ ହଟଚମଟ ଚାହୁଛନ୍ତି। ରାହୁଲ ଯଦି ତାଙ୍କ ଆଭିଯୋଗ ନେଇ ସାମାନ୍ୟ ବି ନିଷ୍ଠା ରଖିଥିଲେ ତେବେ ତାଙ୍କୁ କିଛି ପ୍ରମାଣ ଦେବାକୁ ପଡ଼ିବା। ଜଣେ ବରିଷ୍ଠ ସାଂସଦ ହୋଇ ମଧ୍ୟ ରାହୁଲ ଗାନ୍ଧି ଦାୟିତ୍ବର ସହ କଥା କହିବା ଶିଖିନାହାନ୍ତି। ‘ଆପଣ ଅନ୍ୟ ଯେଉଁଠି ଯାହା କହୁଛନ୍ତି କୁହନ୍ତୁ, କିନ୍ତୁ ଆପଣ ସଂସଦରେ ଏଭଳି ବେପରୁଆ ଟିପ୍ପଣୀ ରଖିବା ଉଚିତ ହେଉନାହିଁ’ ବୋଲି ରିଜିଜୁ କହିଛନ୍ତି।

ସମ୍ବନ୍ଧିତ ଖବର