ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଆଜି ଉତ୍ତରପ୍ରଦେଶ ପୁଲିସ ସହ ଲକ୍ଷ୍ନୌ ବିମାନବନ୍ଦରରେ ତୀବ୍ର କଥା କଟାକଟି ହୋଇଥିଲା। ରାହୁଲ ଗାନ୍ଧିଙ୍କୁ ଆଜି ଉତ୍ତରପ୍ରଦେଶ ସରକାର ଲଖିମପୁର ଖେରି ଯିବାପାଇଁ ଅନୁମତି ଦେବା ସହ ଆନ୍ଦୋଳନକାରୀଙ୍କୁ ଉସୁକାଇବା କିମ୍ବା ଶାନ୍ତି ନଷ୍ଟ ପାଇଁ ପ୍ରୟାସ ନ କରିବାକୁ ସତର୍କ କରାଇ ଦେଇଥିଲେ। ତେବେ ରାହୁଲ କେତେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମନା କରିବାରୁ ତାଙ୍କୁ ଲକ୍ଷ୍ନୌ ବିମାନ ବନ୍ଦରରୁ ବାହାରକୁ ଛଡ଼ା ଯାଇନଥିଲା। ରାହୁଲ ପୁଲିସ କାର୍‌ରେ ଯିବା ପାଇଁ ରାଜି ହୋଇନଥିଲେ। ରାହୁଲ କହିଥିଲେ ସେ ତାଙ୍କ ନିଜ କାର୍‌ରେ ଯିବେ।

Advertisment

ଏନେଇ ରାହୁଲ ଏବଂ ଉତ୍ତରପ୍ରଦେଶ ପୁଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଲକ୍ଷ୍ନୌ ବିମାନବନ୍ଦରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ଏବଂ ରାହୁଲ ବିମାନବନ୍ଦରରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ। ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ରାହୁଲ ବିମାନବନ୍ଦରରେ ଉପସ୍ଥିତ ଥିବା ପୁଲିସଙ୍କୁ କହ‌ିଥିଲେ, କେଉଁ ଆଇନ ଆଧାରରେ ତାଙ୍କୁ ପୁଲିସ ଗାଡ଼ିରେ ଯିବାକୁ କୁହାଯାଉଛି। ସେ କେମିତି ଯିବେ ତାହା କ’ଣ ସେମାନେ ସ୍ଥିର କରିବେ କି ବୋଲି ରାହୁଲ ସୁରକ୍ଷକର୍ମୀଙ୍କୁ ପ୍ରଶ୍ନ କରିଥିଲେ। ରାହୁଲ ଭିଡିଓ ପୋଷ୍ଟ୍‌ କରି କହିଛନ୍ତି, ଏହା ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଅନୁମତି। ପ୍ର‌ଥମେ ଅନୁମତି ଦେଲେ ଏବଂ ଏବେ ବିମାନବନ୍ଦର ବାହାରକୁ ଛାଡ଼ୁନାହାନ୍ତି। ପୁଲିସ ବନ୍ଦୋବସ୍ତରେ ଯାତ୍ରା ପାଇଁ ମୁଁ ବାଧ୍ୟ ନୁହେଁ ବୋଲି ସେ କହିଥିଲେ।