ରାଫେଲ ବିବାଦ: ମୋଦୀଙ୍କ ବିରୋଧରେ ତଦନ୍ତ ପାଇଁ ପଛଘୁଞ୍ଚା କାହିଁକି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ରାଫେଲ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନୀଲ ଅମ୍ବାନିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ ରାଫେଲ ଚୁକ୍ତିରେ ପ୍ରଧାନମନ୍ତ୍ରୀଙ୍କ ଅନଧିକାର ହସ୍ତକ୍ଷେପ ଯୋଗୁଁ ଦେଶକୁ ଏହି ଯୁଦ୍ଧ ବିମାନ ଠିକ୍‌ ସମୟରେ ମିଳିପାରିନାହିଁ। ରାଫେଲ ବାବଦ ଅର୍ଥ ଅନୀଲ ଅମ୍ବାନିଙ୍କ ପାଖରେ ପହଞ୍ଚିଯାଇଛି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଏହି ଚୁକ୍ତିକୁ ଚୂଡ଼ାନ୍ତ କରିଥିଲେ ଏବଂ କଥାବାର୍ତ୍ତା ପାଇଁ ଗଠିତ ଟିମ୍‌କୁ ଅଣଦେଖା କରି ସେ ନିଜେ ସମାନ୍ତରାଳ ଭାବେ ଚୁକ୍ତି ପାଇଁ ଆଲୋଚନା କରୁଥିଲେ ବୋଲି ରାହୁଲ କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଦୋଷୀ ନୁହନ୍ତି, ତା’ହେଲେ ନିଜ ବିରୋଧରେ ତଦନ୍ତ ପାଇଁ ଅନୁମତି କାହିଁକି ଦେଉନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଜେପିସି ତଦନ୍ତ ଦାବିକୁ ମଧ୍ୟ ସରକାର ଗ୍ରହଣ ନକରି ପ୍ରଧାନମନ୍ତ୍ରୀଙ୍କୁ ଅଯଥା ସୁରକ୍ଷା ଦିଆଯାଉଛି ବୋଲି ସେ କହିଛନ୍ତି। ରାଫେଲ ଚୁକ୍ତି ନେଇ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାତାରାତି ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇଥିଲେ। ରାଫେଲ ଚୁକ୍ତିରେ ହୋଇଥିବା ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ସବୁ ପ୍ରୟାସ କରାଯାଉଛି । ଯଦି ସବୁ ମାମଲାରେ ଯାଞ୍ଚ ହେଉଛି ତା’ହେଲେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାହିଁକି ହେବନାହିଁ ବୋଲି ସେ କହିଛନ୍ତି। ‘ଦି ହିନ୍ଦୁ’ ଖବରକାଗଜରେ ରାଫେଲ ଚୁକ୍ତିରେ ହୋଇଥିବା ଅନିୟମିତତା ନେଇ ଅନେକ ତଥ୍ୟ ପ୍ରକାଶ ପାଇଛି। ସରକାର ଏହାକୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନାହାନ୍ତି ବୋଲି ସେ କହିଛନ୍ତି। ପାକିସ୍ତାନରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ନେଇ କଂଗ୍ରେସ ପ୍ରମାଣ ମାଗୁଥିବା ପ୍ରସଙ୍ଗରେ ରାହୁଲ କହିଛନ୍ତି ଯେ ସହିଦ ପରିବାର ମଧ୍ୟ ଏବେ ପ୍ରମାଣ ମାଗୁଛନ୍ତି। ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତ କରି ନୱାଜ ସରିଫ୍‌ଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଏବେ ଏହି ମାମଲାରେ ରାଜନୀତି କରୁଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର