କ୍ଷମତାର ଅପବ୍ୟବହାର: ରାହୁଲ

ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ପ୍ରଥମ: ମନୀଷ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ଏକପାଖିଆ ଭାବେ ପୃଥକ୍ କରିଦେଲେ ଜାତୀୟ ସଂହତି ଆସେନାହିଁ। କେନ୍ଦ୍ର ସରକାର ଧାରା ୩୭୦ ଅଧୀନରେ ଜମ୍ମୁ କଶ୍ମୀରକୁ ପ୍ରଦାନ କରାଯାଉଥିବା ସ୍ବତନ୍ତ୍ର ମାନ୍ୟତାକୁ ଶେଷ କରିବା ଏବଂ ଧାରା ୩୫ ଏକୁ ଉଚ୍ଛେଦ କରିବା ସମେତ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନେଇ ‌ଘୋଷଣା କରିବା ପରଦିନ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଏହା କହିଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଦ୍ବାରା ଏହା କ୍ଷମତାର ଅପବ୍ୟବହାର ବୋଲି ରାହୁଲ୍ କହିଛନ୍ତି। ଜମ୍ମୁ କଶ୍ମୀରକୁ ଏକପାଖିଆ ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା, ନିର୍ବାଚିତ ପ୍ରତିନିଧିମାନଙ୍କୁ ଗିରଫ ଏବଂ ସମ୍ବିଧାନକୁ ଉଲ୍ଲଂଘନ କରିଲେ ଜାତୀୟ ସଂହତି ମଜବୁତ ହୋଇ ନଥାଏ ବୋଲି ରାହୁଲ୍ କହିଛନ୍ତି। ଦେଶ ଏହାର ଲୋକଙ୍କୁ ନେଇ ଗଠିତ ହୋଇଥାଏ, ଜମିର ପ୍ଲଟକୁ ନେଇ ହୋଇ ନଥାଏ ବୋଲି ରାହୁଲ୍ ଟ୍ବିଟ୍‌ କରି କହିଛନ୍ତି। କାର୍ଯ୍ୟପାଳିକା ଦ୍ବାରା ଏହି କ୍ଷମତା ଅପବ୍ୟବହାରର ଗମ୍ଭୀର ପରିଣାମ ଦେଖିବାକୁ ମିଳିବ ବୋଲି ରାହୁଲ୍ ସତର୍କ କରାଇ ଦେଇଛନ୍ତି। ପ୍ରଥମେ ରାହୁଲ୍ ଏହି ଟ୍ବିଟ୍ କରିବାର କିଛି ସମୟ ପରେ ଦ୍ବିତୀୟ ଟ୍ବିଟ୍ କରିଥିଲେ। ଏଥିରେ ସେ ଜମ୍ମୁ କଶ୍ମୀରର ମୁଖ୍ୟସ୍ରୋତରେ ଥିବା ରାଜନୈତିକ ଦଳର ନେତାଙ୍କୁ ଗିରଫ କରି ଗୋପନ ସ୍ଥାନରେ ବନ୍ଦୀ ରଖାଯିବା ଅପଣତାନ୍ତ୍ରିକ ବୋଲି କହିଥିଲେ। ଏହି ଗିରଫ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ। ଏହା ଦୂରଦୃଷ୍ଟି ହୀନ ଏବଂ ବୋକାମୀ, କାରଣ ଭାରତ ସରକାରଙ୍କ ପକ୍ଷରୁ ନେତୃତ୍ବରେ ଯେଉଁ ଅଭାବ ସୃଷ୍ଟି କରାଯାଇଛି ତାହା ଆତଙ୍କବାଦୀମାନଙ୍କ ଦ୍ବାରା ପୂରଣ ହେବ। ବନ୍ଦୀ ରଖାଯାଇଥିବା ନେତାମାନଙ୍କୁ ମୁକ୍ତ କରାଯିବା ଉଚିତ ବୋଲି ‌ରାହୁଲ୍ କହିଛନ୍ତି।

ସେହିଭଳି ଲୋକସଭାରେ କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ କହିଥିଲେ, ସରକାର ଆଜି ଯେତେବେଳେ ଧାରା ୩୭୦କୁ ଉଚ୍ଛେଦ କରିଲେ ତାହା ଦ୍ବାରା ଅନ୍ୟ ଯେଉଁ ରାଜ୍ୟ ସ୍ବତନ୍ତ୍ର ମାନ୍ୟତା ପାଉଛନ୍ତି ସେଗୁଡ଼ିକୁ କି ବାର୍ତ୍ତା ଦେବାକୁ ଚାହୁଛନ୍ତି। ତିୱାରୀ ଏହା ମଧ୍ୟ କହିଥିଲେ ଇତିହାସରେ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଅତୀତରେ ଅନେକ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟରେ ପରିଣତ କରାଯାଇଥିବାବେଳେ ଏହା ପ୍ରଥମ ଘଟଣା ଯେଉଁଥିରେ ଏକ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ ଆଗତ କରିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ କରାଯାଉଥିବା ସମାଲୋଚନାର ଜବାବ ଦେଇ ଶାହ କହିଛନ୍ତି, ଜମ୍ମୁ କଶ୍ମୀର ଉପରେ କୌଣସି ଆଇନ ପ୍ରଣୟନ କରିବାରେ ସଂସଦକୁ କେହି ଅଟକାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର