ବିରୋଧୀ ଦଳ ନେତାଙ୍କ କଶ୍ମୀର ଗସ୍ତ, ଶ୍ରୀନଗରରୁ ଫେରାଇ ଦିଆଗଲା

କଶ୍ମୀର ଅବସ୍ଥା କ’ଣ ସରକାର ସ୍ପଷ୍ଟ କରନ୍ତୁ: ରାହୁଲ

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବାର ପ୍ରାୟ ୨୦ ଦିନ ପରେ ଆଜି ପରିସ୍ଥିତି ଦେଖିବା ପାଇଁ ଶ୍ରୀନଗର ପହଞ୍ଚିଥିବା ବିରୋଧୀ ଦଳ ନେତାମାନଙ୍କୁ ଶ୍ରୀନଗର ଏୟାରପୋର୍ଟରୁ ହିଁ ଦିଲ୍ଲୀ ଫେରିଯିବାକୁ ବାଧ୍ୟ କରାଯାଇଛି। ଫଳରେ ଏହି ନେତାମାନେ ଅନ୍ୟ ଉପାୟ ନପାଇ ଦିଲ୍ଲୀ ଫେରିଆସିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ ଏହି ପ୍ରତିନିଧି ଦଳରେ ଗୁଲାମନବୀ ଆଜାଦ, ଏନ୍‌ସିପି ନେତା ମାଜିଦ୍‌ ମେମନ, ସିପିଆଇ ନେତା ଡି. ରାଜଙ୍କ ସମେତ ମୋଟ ୧୧ ନେତା ଶ୍ରୀନଗର ପହଞ୍ଚିଥିଲେ। ସେଠାରୁ ଫେରିବାକୁ ବାଧ୍ୟ ହେବାପରେ ଆଜି ସନ୍ଧ୍ୟା ୬ଟାରେ ସେମାନେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏହି ଘଟଣାକ୍ରମ ଉପରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି, ରାହୁଲ ଗାନ୍ଧୀ କଶ୍ମୀର ଆସି ଅଯଥା ଉତ୍ତେଜନା ସୃଷ୍ଟି କରିବା କିମ୍ବା ଏହି ପ୍ରସଙ୍ଗରରେ ରାଜନୀତି କରିବା ଆଦୌ ଠିକ୍‌ ନୁହେଁ। ରାହୁଲଙ୍କୁ ମୁଁ ସଦ୍‌ଭାବରେ କଶ୍ମୀର ଆସିବାକୁ କହିଥିଲି, କିନ୍ତୁ ସେ ଏହାକୁ ନେଇ ରାଜନୀତି କରିବା ଆରମ୍ଭ କରିଦେଇଛନ୍ତି। ଏଭଳି ରାଜନୈତିକ ଗସ୍ତ ବିଶୃଙ୍ଖଳା ବଢ଼ାଇବା ଆଶଙ୍କା ଥିବାରୁ ସେମାନଙ୍କୁ ଦିଲ୍ଲୀ ଫେରାଇ ଦିଆଯାଇଛି ବୋଲି ରାଜ୍ୟପାଳ କହିଛନ୍ତି। ଅନ୍ୟପକ୍ଷରେ ରାହୁଲ କହିଛନ୍ତି ଯେ ଏବେ କଶ୍ମୀରରେ ସ୍ଥିତି କ’ଣ ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିବା ଆବଶ୍ୟକ। ବିରୋଧୀ ଦଳ ନେତାମାନଙ୍କୁ ଶ୍ରୀନଗର ଗସ୍ତରେ ଯିବାକୁ ବାରଣ କରି ସରକାର କ’ଣ ଲୁଚାଇବାକୁ ଚାହୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଯଦି ଜମ୍ମୁ କଶ୍ମୀରରେ ସ୍ଥିତି ସ୍ବାଭାବିକ ହୋଇଥିବା ସରକାର କହୁଛନ୍ତି ତା’ହେଲେ ଏତେ କଟକଣା କାହିଁକି, ତାହାର ଜବାବ ଦେବାକୁ ପଡ଼ିବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର