ନୂଆଦିଲ୍ଲୀ: ଫ୍ରାନ୍୍ସଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସରକାର କରିଥିବା ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାହୁଲ କହିଛନ୍ତି ଯେ, ଦେଶର ସାମରିକ ଶକ୍ତି ବୃଦ୍ଧି ପାଇଁ ଯୁଦ୍ଧ ବିମାନ କିଣା ବାହାନାରେ ମୋଦି ନିଜ ବନ୍ଧୁମାନଙ୍କୁ ଫାଇଦା ଦେବାକୁ ସବୁ ପ୍ରୟାସ କରିଛନ୍ତି ଏବଂ ଦେଶବାସୀଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଆତ୍ମସାତ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତିି। ଭାରତୀୟ ବାୟୁସେନା ଏବେ ପୁଣି ଶତାଧିକ ଯୁଦ୍ଧ ବିମାନ କିଣିବା ପାଇଁ ଗତକାଲି ବିଜ୍ଞପ୍ତି ଜାରି କରିବା ପରେ ରାହୁଲ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ସରକାର ୪୦ ହଜାର କୋଟି ଟଙ୍କା ବ୍ୟୟରେ ରାଫେଲ ଯୁଦ୍ଧ ବିମାନ ଖରିଦ କରିବାକୁ ଯେଉଁ ଚୁକ୍ତି କରିଛନ୍ତି ଏଥିରେ ନିଜ ବନ୍ଧୁମାନଙ୍କ ପ୍ରତି ଅନୁକମ୍ପା ଦେଖାଇଛନ୍ତି। ମୋଦିଙ୍କ ଭାରତୀୟ ବ୍ୟବସାୟୀ ମିତ୍ର ରାଫେଲ ନିର୍ମାତା ଫ୍ରାନ୍୍ସ କମ୍ପାନି ସହ ଅଂଶୀଦାର ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ରାହୁଲ କହିଛନ୍ତି।
ରାଫେଲ ଚୁକ୍ତିରେ ଦେଶ ୪୦ହଜାର କୋଟି ଟଙ୍କାର କ୍ଷତି ସହିବା ପରେ ଏବେ ପୁଣିଥରେ ୧.୫ଲକ୍ଷ କୋଟି ଟଙ୍କାରେ ଶହେଟି ଯୁଦ୍ଧ ବିମାନ କିଣିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଏହି ନୂତନ ଚୁକ୍ତି ସ୍ୱିଡେନ୍ର ସାବ୍-ଏବି, ଆମେରିକାର ଲକ୍୍ହିଡ୍ ମାର୍ଟିନ୍ କର୍ପୋରେସନ, ଫାନ୍ସର ଡେସଲ୍ଟ ଆଭିଏସନ୍, ରୁଷିଆର ମିଗ୍ ଓ ୟୁରୋପ୍ର ୟୁରୋ ଫାଇଟର ବିମାନ ନିର୍ମାଣକାରୀ କମ୍ପାନିଙ୍କୁ ଏହି ଚୁକ୍ତି ମିଳିବା ସମ୍ଭାବନା ରହିଛି। ବାରମ୍ବାର ରାଫେଲର ପ୍ରକୃତ ମୂଲ୍ୟ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ କଂଗ୍ରେସ ଦାବି କରୁଥିବା ସତ୍ତ୍ୱେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କୌଣସି ତଥ୍ୟ ଦେବାକୁ ରୋକ୍ଠୋକ୍ ମନା କରିଦେଇଥିବା ରାହୁଲ କହିଛନ୍ତି। ଅନ୍ୟପକ୍ଷରେ ରାହୁଲ ରାଫେଲ ଚୁକ୍ତି ନେଇ ଡାହା ମିଛ କହି କେବଳ ଦେଶବାସୀଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଏବଂ ତାଙ୍କର ଏହି ମିଛକୁ ସମସ୍ତେ ବୁଝି ସାରିଲେଣି ବୋଲି ବିଜେପି କହିଛି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶ ସ୍ୱାର୍ଥରେ ହୋଇଥିବା ଚୁକ୍ତିକୁ ରାହୁଲ ରାଜନୈତିକ ରଙ୍ଗ ଦେଇ ଫାଇଦା ଉଠାଇବାକୁ ଚାହୁଛନ୍ତି।