ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ଟିପ୍ପଣୀକୁ ବିରୋଧ କରି ଆଜି ଲୋକସଭାରେ ବିଜେପି ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଦଳର ମହିଳା ସାଂସଦମାନେ ରାହୁଲଙ୍କ ବୟାନକୁ ବିରୋଧ କରିବା ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ମାମଲାରେ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ହେବ, ଅନ୍ୟଥା ବିରୋଧ ଜାରି ରହିବ ବୋଲି ମହିଳା ସାଂସଦମାନେ ଚେତାବନୀ ଦେଇଥିଲେ। ରାହୁଲ ଉଦ୍ଦେଶ୍ୟମୂଳକ ଭାବେ ଦେଶକୁ ବଦନାମ କରିବା ପାଇଁ ଲଗାମଛଡ଼ା ବୟାନ ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରାହୁଲଙ୍କୁ କଡ଼ା ସମାଲୋଚନା କରି କହିଥିଲେ, ଏଭଳି ନେତାଙ୍କର ସଂସଦରେ ରହିବାର କୌଣସି ନୈତିକ ଅଧିକାର ନାହିଁ। କେନ୍ଦ୍ର ମନ୍ତ୍ରୀ ଇରାନୀ କହିଥିଲେ, ରାହୁଲଙ୍କ ଟିପ୍ପଣୀ ଭାରତର ମହିଳା ଏବଂ ପୁରୁଷଙ୍କୁ ଅପମାନିତ କରିଛି। ରାହୁଲଙ୍କ ଏଭଳି ଟିପ୍ପଣୀ ପାଇଁ ତାଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ସ୍ମୃତି କହିଛନ୍ତି। ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ କହିଛନ୍ତି, ରାହୁଲ ଗାନ୍ଧି ଏଭଳି ଟିପ୍ପଣୀ ରଖି କେବଳ ମହିଳାଙ୍କୁ ଅପମାନିତ କରିନାହାନ୍ତି ବରଂ ସେ ସମଗ୍ର ଦେଶକୁ ଅପମାନିତ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଦୁଷ୍କର୍ମକାରୀ ନୁହନ୍ତି ବୋଲି ସେ କହିଛନ୍ତି। ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଓମ୍ ବିର୍ଲା ଆଜି ଦୁଇଥର ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ। ତେବେ ଡିଏମ୍କେ ସାଂସଦ କାନିମୋଝି ରାହୁଲଙ୍କ ଟିପ୍ପଣୀକୁ ସମର୍ଥନ କରିଥିଲେ। ମହିଳାଙ୍କ ବିରୋଧରେ ବଢ଼ୁଥିବା ହିଂସା ପ୍ରସଙ୍ଗରେ ରାହୁଲ ଏଭଳି ଟିପ୍ପଣୀ ରଖିଥିବା କାନିମୋଝି କହିଥିଲେ। ବିଜେପିର ପ୍ରାୟ ୩୦ରୁ ଅଧିକ ମହିଳା ସଦସ୍ୟ ରାହୁଲଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ତାଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ। ଉଲ୍ଲେଖଯୋଗ୍ୟ ରାହୁଲ ଝାଡ଼ଖଣ୍ଡର ଏକ ନିର୍ବାଚନ ରୢାଲିରେ ମୋଦୀ ସରକାରଙ୍କୁ ସମାଲୋଚନା କରି କହିଥିଲେ, ମୋଦୀ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରତିଶ୍ରୁତି ଦେଇଥିଲେ , କିନ୍ତୁ ଏବେ ଦେଶରେ କେବଳ ‘ରେପ୍ ଇନ୍ ଇଣ୍ଡିଆ’ ଦେଖିବାକୁ ମିଳୁଛି।
କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ: ରାହୁଲ
ମୋଦୀଙ୍କ ପୁରୁଣା ଭିଡିଓ ଜାରି କଲେ
ନୂଆଦିଲ୍ଲୀ: ଲୋକସଭାରେ ଆଜି ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ସତ୍ତ୍ବେ କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ଟିପ୍ପଣୀ ପାଇଁ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି। ରାହୁଲ କହିଛନ୍ତି, ବିଜେପି ଉତ୍ତରପୂର୍ବରୁ ନଜର ହଟାଇବା ପାଇଁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦିଲ୍ଲୀକୁ ‘ରେପ୍ କ୍ୟାପିଟାଲ୍’ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଏକ ଭିଡିଓ ଲିଙ୍କ୍ ମଧ୍ୟ ରାହୁଲ ଆଜି ଟ୍ବିଟ୍ କରିଛନ୍ତି। ଦିଲ୍ଲୀକୁ ରେପ୍ କ୍ୟାପିଟାଲ୍ କହିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ କ୍ଷମା ମାଗିବା ଉଚିତ୍ ବୋଲି ରାହୁଲ କହିଛନ୍ତି।
ନିର୍ବାଚନ କମିସନ୍ଙ୍କ ଦ୍ବାରସ୍ଥ ହେଲେ ମହିଳା ସାଂସଦ, ରାହୁଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ଟିପ୍ପଣୀ ବିରୋଧରେ ଆଜି ବିଜେପିର ମହିଳା ସାଂସଦମାନେ ନିର୍ବାଚନ କମିସନ୍ଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାହୁଲଙ୍କ ଦୁଷ୍କର୍ମ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବିଜେପିର ଏକ ମହିଳା ସାଂସଦ ପ୍ରତିନିଧି ଦଳ ନିର୍ବାଚନ କମିସନ୍ଙ୍କୁ ଭେଟିଛନ୍ତି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ରାହୁଲ ଦୁଷ୍କର୍ମ ମାମଲାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି ବୋଲି ସ୍ମୃତି ଅଭିଯୋଗ କରିଛନ୍ତି।