ଟ୍ରମ୍ପଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ମୋଦୀ: କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅନ୍ୟ ଦେଶର ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ‌ମୋଦୀ ବିଦେଶ ନୀତିର ମର୍ଯ୍ୟାଦା ଉଲ୍ଲଂଘନ କରିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ମୁଖପାତ୍ର ଆନନ୍ଦ ଶର୍ମା ପ୍ରକାଶ କରିଛନ୍ତି। ଶ୍ରୀ ଶର୍ମା ଟ୍ବିଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ ନିର୍ବାଚନ ପ୍ରଚାର କରିବା ଯୋଗୁଁ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବ। ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଆମେରିକା ଗସ୍ତ କରିଛନ୍ତି, ସେ ଟ୍ରମ୍ପ୍‌ଙ୍କ ଦଳୀୟ ପ୍ରଚାର ପାଇଁ ଯାଇ ନାହାନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଆମେରିକାର ହଷ୍ଟନ ସହରର ଏନ୍‌ଆର୍‌ଜି ଷ୍ଟାଡିୟମରେ ହାଓଡ଼ି ମୋଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୋଦୀ ଓ ଟ୍ରମ୍ପ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ। ମୋଦି ସେଠାରେ କହିଥିଲେ ‘ଅବ୍‌କି ବାର, ଟ୍ରମ୍ପ୍‌ ସରକାର୍‌’। ଏହା ସହିତ ମୋଦୀ କହିଥିଲେ, ‘ଭାରତ୍‌ମେ ସବ୍‌ ଆଛା ହୈ’। ମୋଦିଙ୍କ ଏହି ଉକ୍ତିକୁ ଖଣ୍ଡନ କରିବାକୁ ଯାଇ ଜେଲ୍‌ରେ ଥିବା ବରିଷ୍ଠ କଂଗ୍ରେସ ନେତା ପି. ଚିଦ‌ମ୍ବରମ୍‌ କହିଛନ୍ତି ଯେ, ଭାରତରେ ସବୁ କିଛି ଠିକ୍ ଚାଲିନାହିଁ। ବରଂ କାଶ୍ମୀରରେ ସାଧାରଣ ଲୋକଙ୍କୁ ଦୀର୍ଘଦିନ ଧରି ବନ୍ଦୀ ଅବସ୍ଥାରେ ରଖାଯାଇଛି, ଅର୍ଥନୀତି ବିଗିଡ଼ିଯାଇଛି, ଧର୍ମକୁ ନେଇ ରାଜନୀତି ହେଉଛି, ବେକାରି ସମସ୍ୟା ଉତ୍କଟ ହୋଇଛି, ଦରଦାମ ବୃଦ୍ଧି ସହିତ ଦେଶରେ ଭିଡ଼ହିଂସା ବଢ଼ିଛି ବୋଲି ଚିଦମ୍ବରମ୍‌ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର