ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଥରେ ‘ମିଛୁଆ’ ପ୍ରମାଣିତ କରିବାକୁ ରାହୁଲ ପୋଷ୍ଟ କଲେ ଭିଡିଓ

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ମିଛୁଆ’ ପ୍ରମାଣିତ କରିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି (ଗୁରୁବାର) ତାଙ୍କ ଟୁଇଟର ହାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କଲାପରେ ଏହାକୁ ନେଇ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି।

ବିବିସି ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲରେ ପ୍ରଦର୍ଶିତ କରାଯାଇଥିବା; ଆସାମରେ ନିର୍ମାଣଧୀନ ଅବସ୍ଥାରେ ଥାଇ ଜୋରସୋରରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ଏକ ଅଟକ କେନ୍ଦ୍ର ବା ‘ଡିଟେନ୍‌ସନ ସେଣ୍ଟର’ର ଭିଡିଓକୁ ରାହୁଲ ପୋଷ୍ଟ କରିଛନ୍ତି। ଏଥିସହ ସେହି ପୋଷ୍ଟରେ ରାହୁଲ ଲେଖିଛନ୍ତି; ‘ଆର୍‌ଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହିଛନ୍ତି’।

ଉଲ୍ଲେଖଯୋଗ୍ୟ, ବିଜେପି ପକ୍ଷରୁ ଆୟୋଜିତ ଦିଲ୍ଲୀର ଏକ ନିର୍ବାଚନ ର‍୍ୟାଲିରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶର କୌଣସି ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଅଟକ କେନ୍ଦ୍ର ବା ‘ଡିଟେନ୍‌ସନ ସେଣ୍ଟର’ର ନିର୍ମାଣ କରାଯାଉ ନାହିଁ। କେବଳ ମାତ୍ର ନାଗରିକତା (ସଂଶୋଧନ) ଆଇନ୍‌କୁ ବିରୋଧ ଆଳରେ ଚାଲିଥିବା ହିଂସାକୁ ଉସ୍‌କାଇବା ଉଦ୍ଦେଶ୍ୟରେ କଂଗ୍ରେସ ଓ ‘ସହରୀ ନକ୍ସଲ’ଙ୍କ ପକ୍ଷରୁ ଏପ୍ରକାରର ମିଥ୍ୟା ଅପପ୍ରଚାର ଚାଲିଛି।

ତେବେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏ ବକ୍ତବ୍ୟର ଦିନକ ପରେ ରାହୁଲ ଗାନ୍ଧୀଙ୍କ ଏ ଭିଡିଓକୁ କେନ୍ଦ୍ର କରି ପୁଣିଥରେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। ଏହି ଭିଡିଓରେ ସଂପୃକ୍ତ ଅଟକ କେନ୍ଦ୍ର ବା ‘ଡିଟେନ୍‌ସନ ସେଣ୍ଟର’ର ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀ, ଏହି ସେଣ୍ଟରର ନିର୍ମାଣ କାର୍ଯ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କରାଯାଉଥିବା କହିବା ସହ ଏଥିପାଇଁ ୪୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା କହିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ନ ହେବାରୁ ଏହାକୁ ୨୦୨୦ ମାର୍ଚ୍ଚ ୩୧ ତାରିଖକୁ ବଢ଼ାଇ ଦିଆଯାଇଥିବା ଅଧିକାରୀ ଜଣକ ସଂପୃକ୍ତ ଭିଡିଓରେ କହିଥିବା ମଧ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର