ନୂଆଦିଲ୍ଲୀ: ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ୍‌ ଶେଷ ହୋଇଛି। ଯଦି ଆମେ ପଞ୍ଚମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିବା ଆସନ ସଂଖ୍ୟାକୁ ‌‌ଦେଖିବା ତେବେ ଏହା କମ୍‌ ଗୁରୁତ୍ବପୂର୍ଣ୍ଣ ଲାଗିବ। କାରଣ ପଞ୍ଚମ ପର୍ଯ୍ୟାୟରେ ମାତ୍ର ୪୯ ଆସନରେ ଭୋଟ୍‌ ଗ୍ରହଣ ହୋଇଛି। କିନ୍ତୁ ଯଦି ଆମେ ପଞ୍ଚମ ପର୍ଯ୍ୟାୟ ତାଲିକାରେ ଥିବା ପ୍ରାର୍ଥୀଙ୍କ ନାଁ ଦେଖିବା ତେବେ ଏହି ପର୍ଯ୍ୟାୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲାଗିବ। ପଞ୍ଚମ ପର୍ଯ୍ୟାୟର କେତେକ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ମାନେ ହେଉଛନ୍ତି।
 ରାହୁଲ ଗାନ୍ଧି ବନାମ ଦିନେଶ ପ୍ରତାପ ସିଂହ
୨୦୧୯ରେ ବିଜେପିର ସ୍ମୃତି ଇରାନୀଙ୍କଠାରୁ ଆମେଥି ଆସନରେ ପରାଜିତ ହୋଇଥିବା ରାହୁଲ ଗାନ୍ଧୀ ଚଳିତ ଥର ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ୩ ଥର ସାଂସଦ ଭାବେ ଆମେଥିକୁ ପ୍ରତିନିଧିତ୍ବ କରିଥିବା ରାହୁଲ ଚଳିତ ଥର ଉତ୍ତରପ୍ରଦେଶରେ କଂଗ୍ରେସ ପାଖରେ ଥିବା ଶେଷ ଗୋଟିଏ ଆସନ ରାଏବରେଲିରେ ଲଢ଼ିଛନ୍ତି। ତେବେ ରାହୁଲଙ୍କ ପାଇଁ ଏହା ଏକ କଠିନ ପରୀକ୍ଷା। ରାହୁଲଙ୍କ ମା’ ସୋନିଆ ଗାନ୍ଧୀ ଉକ୍ତ ଆସନରୁ ୫ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ଏହି ଆସନ‌ରେ ଜିତିବା ଉଭୟ ରାହୁଲ ଏବଂ କଂଗ୍ରେସ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ବି‌ଜେପିର ଦିନେଶ ପ୍ରତାପ ସିଂହଙ୍କ ବିରୋଧରେ ସେ ଉକ୍ତ ଆସନରେ ନିର୍ବାଚନ ଲଢ଼ୁଛନ୍ତି।
 ସ୍ମୃତି ଇରାନୀ ବନାମ କେଏଲ୍‌ ଶର୍ମା
ବିଜେପିର ସ୍ମୃତି ଇରାନୀ ୨୦୧୯ ଲୋକସଭା ନିର୍ବାଚନରେ ଆମେଥି ଭୋଟରମାନଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ ଯେ ସେମାନଙ୍କ ସାଂସଦ ରାହୁଲ ଗାନ୍ଧୀଙ୍କଠାରୁ ସେ ଜଣେ ଭଲ ବିକଳ୍ପ। କିନ୍ତୁ ଚଳିତ ଥର ଆମେଥିରେ ଗାନ୍ଧୀ ପରିବାରରୁ କେହି ନାହାନ୍ତି। ଦୀର୍ଘ ୪୦ ବର୍ଷ ଧରି ଆମେଥି ନିର୍ବାଚନମଣ୍ଡଳୀରେ କାମ କରିଥିବା କଂଗ୍ରେସର ଜଣେ ପ୍ରମୁଖ ନେତା ଏବଂ ଗାନ୍ଧୀ ପରିବାରର ବିଶ୍ବସ୍ତ କେଏଲ୍‌ ଶର୍ମା ସ୍ମୃତିଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଆମେଥିରେ ଜିତିବା କଂଗ୍ରେସ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ବିଜେପି ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ।
 ରାଜନାଥ ସିଂହ ବନାମ ରବିଦାସ ମେହରୋତ୍ରା
ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନ ବିଜେପି ପାଇଁ ଏକ ସମ୍ମାନଜନକ ଆସନ। କାରଣ ଏହି ଆସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୫ ଥର ନିର୍ବାଚନ ଜିତିଥିଲେ। ଏହା ମଧ୍ୟ ବିଜେପିର ଗଡ଼। ବିଜେପି ୧୯୯୧ରୁ ଏହି ଆସନରେ ଜିତି ଆସିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୦୧୪ରେ ଲକ୍ଷ୍ନୌ ଆସନ‌ରେ ପ୍ରଥମେ ନିର୍ବାଚନ ଜିତିଥିଲେ ଏବଂ ୨୦୧୯ରେ ପୁଣିଥରେ ଜିତିଥିଲେ। ତେବେ ଚଳିତ ଥରର ଲଢ଼େଇ ଟିକେ ଜଟିଳ ରହିଛି। କାରଣ ଚଳିତ ଥର ରାଜନାଥ ସିଂହଙ୍କ ବିରୋଧରେ ରବିଦାସ ମେହରୋତ୍ରା ନିର୍ବାଚନ ଲଢ଼ୁଛନ୍ତି। ସେ ସମାଜବାଦୀ ପାର୍ଟିର ପ୍ରାର୍ଥୀ। ସମାଜବାଦୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରି ଉକ୍ତ ଆସନରେ ନିର୍ବାଚନ ଲଢ଼ୁଛି।
 ଓମାର ଅବଦୁଲ୍ଲା ବନାମ ସଜାଦ ଲୋନ୍‌ ବନାମ ଇଞ୍ଜିନିୟର ରଶିଦ
ଜମ୍ମୁ କାଶ୍ମୀରର ୫ଟି ଆସନରେ ୫ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି ଏବଂ ଆଜି ବାରମୂଳାରେ ଭୋଟ୍‌ ଥିଲା। ଉକ୍ତ ଆସନରେ ଏନସି (ନେସନାଲ କନଫରେନ୍ସ) ନେତା ଓମାର ଅବଦୁଲ୍ଲା, ପିପୁଲ୍ସ କନଫରେନ୍ସର ସଜାଦ ଲୋନ୍‌ ଏବଂ ଜେଲ୍‌ ଯାଇଥିବା ନେତା ଅବଦୁଲ ରଶିଦ ଶେଖ ଓରଫ ଇଞ୍ଜିନିୟର ରଶିଦ ନିର୍ବାଚନ ଲଢ଼ୁଛନ୍ତି। ଉକ୍ତ ଆସନ ଉପ‌ରେ ବି ସମସ୍ତଙ୍କ ନଜର ରହିଛି। ଅବଦୁଲ୍ଲା ହେଉଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ।