ନୂଆଦିଲ୍ଲୀ: ସତୁରି ଦଶକରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଭୁଲ୍‌ ଥିଲା ଏବଂ ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧିଙ୍କର ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା ବୋଲି ତାଙ୍କ ନାତି ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତ ମଙ୍ଗଳବାର ସ୍ବୀକାର କରିଥିଲେ। ତେବେ ବର୍ଷ ବର୍ଷ ଧରି ଏଭଳି ବିବାଦୀୟ ପ୍ରସଙ୍ଗକୁ ଉଲ୍ଲେଖ କରିବା ଲାଗି ଅନେକ କଂଗ୍ରେସ ନେତା ନାପସନ୍ଦ କରି ଆସିଥିବା ବେଳେ କିଛି ବରିଷ୍ଠ ନେତା ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେମାନଙ୍କ ମଧ୍ୟରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ପ୍ରାକ୍ତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପ୍ରମୁଖ ଏ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ।

Advertisment

ସୂଚନା ଥାଉ କି, ୨୦୦୪ ମେ ବେଳେ ଏନ୍‌ଡିଟିଭି ପାଇଁ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ ସହ 'ଵାକ୍‌ ଦି ଟକ୍‌' କାର୍ଯ୍ୟକ୍ରମରେ ସୋନିଆ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ପରେ ଅନୁଷ୍ଠିତ ନିର୍ବାଚନରେ ତାଙ୍କ ଶାଶୂ ଇନ୍ଦିରାଜି ହାରିବା ପରେ ସେଭଳି ନିଷ୍ପତ୍ତି ପାଇଁ ତାଙ୍କର ପୁନର୍ବିଚାର କରିବାର ଥିଲା ବୋଲି ସ୍ବୀକାର କରିଥିଲେ। ଏପରିକି ତାହା ତାଙ୍କର ଭୁଲ୍‌ ଥିଲା ବୋଲି ସୋନିଆ ଅନୁଭବ କରିଥିବା କହିଥିଲେ। ସେହିପରି ୨୦୧୧ ମସିହାରେ କଂଗ୍ରେସର ୧୨୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ବରେ ପ୍ରକାଶିତ କଂଗ୍ରେସ ଇତିହାସର ପଞ୍ଚମ ଖଣ୍ଡର ମୁଖବନ୍ଧରେ ସେ ଲେଖିଥିଲେ, ଦଳର ପରିପ୍ରେକ୍ଷ ପାଇଁ ନହେଲେ ବି ବିଦ୍ବତାପୂର୍ଣ୍ଣ ଦୃଷ୍ଟିକୋଣ ସୃଷ୍ଟି ପାଇଁ ଏ ବାବଦରେ ଅଧିକ ତର୍ଜମା ଆବଶ୍ୟକ। ଇନ୍ଦିରା ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ ମଧ୍ୟ ଏହାର ସାମ୍ବିଧାନିକ ପ୍ରାବଧାନ ନେଇ ତାଙ୍କର ଜ୍ଞାନ ନଥିଲା ବୋଲି ପ୍ରଣବ କହିଥିଲେ। କଂଗ୍ରେସ ଇତିହାସର ପଞ୍ଚମ ଖଣ୍ଡରେ ସ୍ତମ୍ଭକାର ଇନ୍ଦର ମାଲହୋତ୍ରା 'ଇନ୍ଦିରା ଗାନ୍ଧି: ଆନ୍‌ ଓଭରଭ୍ୟୁ' ଶୀର୍ଷକରେ ଲେଖିଥିଲେ, ସ୍ବାଧୀନ ଭାରତର ଇତିହାସରେ ଜରୁରୀକାଳୀନ ପରିସ୍ଥିତି ଏକ ଘୃଣ୍ୟ ବିଷୟ ହୋଇ ରହିଥିବା ସମ୍ପର୍କରେ କେହି କିଛି ପ୍ରଶ୍ନ କରିବାର ନାହିଁ। ଅନେକଙ୍କ ପାଇଁ ଏହି ୧୯ ମାସ ଦୁଃସ୍ବପ୍ନ ହୋଇ ରହିଥିଲା

ସେହିପରି ୨୦୧୪ ମସିହାରେ ପ୍ରକାଶିତ ଡ. ମନମୋହନ ସିଂହଙ୍କ ଝିଅ ଦାମନ ସିଂହଙ୍କ ପୁସ୍ତକ 'ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ୍‌ ଗୁରସରନ୍‌'ରେ ଜରୁରୀକାଳୀନ ପରିସ୍ଥିତି ଶୁଣି ମନମୋହନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ବର୍ଣ୍ଣନା କରାଯାଇଛି। ଚାରିଆଡ଼େ ଅସ୍ଥିରତା ଦେଖାଦେଇଥିଲା ଏବଂ ଇନ୍ଦିରାଜି ଏପରି ନିଷ୍ପତ୍ତି ନେବେ ବୋଲି କେହି ଭାବିନଥିବା ମନମୋହନ କହିଛନ୍ତି। ସେହିପରି ସଞ୍ଜୟ ଗାନ୍ଧି ଜଣେ ଅତିରିକ୍ତ ସାମ୍ବିଧାନିକ କର୍ତ୍ତୃପକ୍ଷ ଭଳି ମନେହେଉଥିଲେ ବୋଲି ମନମୋହନ ଅନୁଭବ କରିଥିବା କହିଛନ୍ତି।