କାଶ୍ମୀରରୁ କନ୍ୟାକୁମାରୀ ରାହୁଲ ଆରମ୍ଭ କଲେ ‘ଭାରତ ଯୋଡ଼ୋ’ ଯାତ୍ରା

୧୫୦ ଦିନ, ୩୫୦୦ କିମି ପଦଯାତ୍ରା, ୬୦ କଣ୍ଟେନର୍‌ କ୍ୟାବିନ୍‌ରେ ରହିବେ ନେତା

ଚେନ୍ନାଇ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦଳର ବିଶାଳ ଜନସଂପର୍କ କାର୍ଯ୍ୟକ୍ରମ ‘ଭାରତ ଯୋଡ଼ୋ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଆଜି ଅପରାହ୍ନରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୧୫ ଦିନରେ ୩୫୦୦ କିମି ଅତିକ୍ରମ କରିବ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି କନ୍ୟାକୁମାରୀରେ ଏକ ମେଗା ରୢାଲିରୁ ଆରମ୍ଭ ହୋଇଛି। ଆସନ୍ତାକାଲି ସକାଳୁ ପଦଯାତ୍ରା ଆରମ୍ଭ ହେବ ଏବଂ ଏହା ଶତାବ୍ଦୀର ସବୁଠାରୁ ଦୀର୍ଘତମ ଯାତ୍ରା ବୋଲି କଂଗ୍ରେସ କହିଛି। ତେବେ ଏହି ଯାତ୍ରାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି ପଦଯାତ୍ରା ସମୟରେ ଲୋକଙ୍କ ସହିତ ଦରବୃଦ୍ଧି, ବେକାରୀ ଏବଂ ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂପର୍କ ସ୍ଥାପନ କରାଯିବ ଏବଂ ସଚେତନତା ସୃଷ୍ଟି ଦିଗରେ ଅହରହ ପ୍ରୟାସ ଜାରି ରହିବ ବୋଲି ଦଳ କହିଛି । ଅସୁସ୍ଥତା ଯୋଗୁଁ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅଂଶଗ୍ରହଣ କରିନଥିଲେ ମଧ୍ୟ ଆଜି ଏକ ବିବୃତି ଜାରି କରି ସେ କହିଛନ୍ତି ଯେ ମୁଁ ଚିନ୍ତା ଓ ଚେତନାରେ ଏହି କାର୍ଯ୍ୟକ୍ରମ ସହିତ ରହିଛି ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଦେଶରେ କଂଗ୍ରେସ ଶକ୍ତିଶାଳୀ ହେଲେ ହିଁ ବିଜେପି ବିରୋଧରେ ବିରୋଧୀ ଦଳମାନଙ୍କ ମେଣ୍ଟ ସୁଦୃଢ଼ ହୋଇପାରିବ। ଅନ୍ୟ ଆଞ୍ଚଳିକ ଦଳମାନଙ୍କୁ କଡ଼ା ବାର୍ତ୍ତା ଦେଇ ରମେଶ କହିଛନ୍ତି ସେମାନେ କଂଗ୍ରେସକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ପଡ଼ିବ। ଆଜି କାର୍ଯ୍ୟକ୍ରମରେ ସାମିଲ ହୋଇଥବା ରାଜସ୍ଥାନ ଗୃହମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ରାହୁଲ ଗାନ୍ଧି ହିଁ ଦଳର ସଭାପତି ଦାୟିତ୍ବ ନିଅନ୍ତୁ ବୋଲି କଂଗ୍ରେସ ନେତା ଓ କର୍ମୀମାନେ ଚାହୁଛନ୍ତି। ତାଙ୍କରି ନେତୃତ୍ବରେ ହିଁ ଦଳ ଅଧିକ ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଆଜି ରାହୁଲ ଶ୍ରୀପେରୁମବୁଦୁରଠାରେ ତାଙ୍କ ପିତା ରାଜୀବ ଗାନ୍ଧିଙ୍କ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସହ ରୢାଲିରେ ସାମିଲ ହୋଇଥିଲେ। ରାହୁଲ କହିଛନ୍ତି, ଘୃଣା ଓ ବିଭାଜନକାରୀ ରାଜନୀତି ପାଇଁ ମୁଁ ମୋ ପିତାଙ୍କୁ ହରାଇଛି ଏବଂ ଏହି କାରଣ ପାଇଁ ମୁଁ ମୋ ଦେଶକୁ ହରାଇବାକୁ ଚାହେନାହିଁ। ବିଜେପି ଶାସନରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ ହେଉଛି। ଆର୍‌ଏସ୍‌ଏସ୍‌ ଏବଂ ବିଜେପିର ବିଭାଜନକାରୀ ରାଜନୀତି ଦେଶପାଇଁ ସବୁଠାରୁ ବଡ଼ ବିପଦ ବୋଲି ରାହୁଲ କହିଛନ୍ତି। କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ସମୟରେ ରାହୁଲ ଏକ ସିପିଂ କଣ୍ଟେନର କ୍ୟାବିନ୍‌ରେ ରହିବେ। ଯେଉଁଥିରେ ଶଯ୍ୟା, ଶୌଚାଳୟ ଏବଂ ଏୟାର କଣ୍ଡିସନର ବ୍ୟବସ୍ଥା ରହିଛି। ପୂରା ଯାତ୍ରାରେ ସାମିଲ ହେବାକୁ ଥିବା ଅନ୍ୟ ନେତାଙ୍କ ପାଇଁ ମଧ୍ୟ ଏଭଳି କଣ୍ଟେନର୍‌ କ୍ୟାବିନ୍‌ ବ୍ୟବସ୍ଥା କରାଯାଇଛି। ରାହୁଲଙ୍କ କଣ୍ଟେନର ସମେତ ପ୍ରାୟ ୬୦ଟି କଣ୍ଟେନର କ୍ୟାବିନ୍‌ ଏହି ଯାତ୍ରା ପାଇଁ ବ୍ୟବହାର ହେଉଛି।

‘ପରିବାର ଯୋଡ଼ୋ’ ରବର୍ଟ ଭଦ୍ରାଙ୍କ ପୋଷ୍ଟରକୁ ନେଇ ବିଜେପିର ତାଚ୍ଛଲ୍ୟ
ନୂଆଦିଲ୍ଲୀ: ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ ସୋନିଆ ଗାନ୍ଧିଙ୍କ ଜ୍ବାଇଁ ରବର୍ଟ ଭଦ୍ରା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଗାନ୍ଧି ପରିବାର ସହ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ତାଙ୍କ ନିଜର ଫଟୋ ଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖି ବିଜେପି ଉପହାସ କରି କହିଛି- ଏହା ଭାରତ ଯୋଡ଼ୋ ନୁହେଁ, ପରିବାର ଯୋଡ଼ୋ ଯାତ୍ରା। ବିଜେପି ନେତା ଶେହଜାଦ ପୁନାୱାଲା ଟ୍ବିଟ୍ କରିଛନ୍ତି: କଂଗ୍ରେସର ଭାରତ ଯୋଡ଼ା ବାସ୍ତବରେ ପରିବାର ଯୋଡ଼ୋ ଓ ଭ୍ରଷ୍ଟାଚାର ଯୋଡ଼ୋ।

ସମ୍ବନ୍ଧିତ ଖବର