ନୂଆଦିଲ୍ଲୀ: ବିଜେପି ନେତା ଅମିତ ଶାହଙ୍କୁ ଟାର୍ଗେଟ କରି ଟିପ୍ପଣୀ ଦେଇଥିବା ମାମଲାରେ ଉତ୍ତର ପ୍ରଦେଶ ସୁଲନାତପୁରର ଏମ୍ପି/ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ସମନ କରିଛନ୍ତି। ୨୦୧୮ ମସିହାରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ସୁଲତାନପୁରର ଏମ୍ପି/ଏମ୍ଏଲ୍ଏ କୋର୍ଟର ବିଚାରପତି ଯୋଗେଶ ଯାଦବ ଡିସେମ୍ବର ୧୬ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଶାହଙ୍କ ବିରୋଧରେ ରାହୁଲ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ବିଜେପି ନେତା ବିଜୟ ମିଶ୍ର ମାମଲା ରୁଜୁ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ବିଚାରପତି ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି ବୋଲି ଆବେଦନକାରୀଙ୍କ ଆଇନଜୀବୀ ସନ୍ତୋଷ ପାଣ୍ଡେ କହିଛନ୍ତି। ରାହୁଲ ବେଙ୍ଗାଲୁରୁଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶାହଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ରାହୁଲ କହିଥିଲେ ରାଜନୀତିରେ ସାଧୁତା ଓ ସ୍ବଚ୍ଛତାରେ ବିଶ୍ବାସ କରୁଥିବା ବିଜେପି ଦଳର ସଭାପତି ଜଣେ ହତ୍ୟା ଅଭିଯୁକ୍ତ। ସେହି ସମୟରେ ଶାହ ବିଜେପିର ସଭାପତି ଥିଲେ। ତେବେ ଗାନ୍ଧିଙ୍କ ମନ୍ତବ୍ୟର ପ୍ରାୟ ୪ ବର୍ଷ ପୂର୍ବରୁ ମୁମ୍ବାଇର ଏକ ସ୍ବତନ୍ତ୍ର ସିବିଆଇ ଅଦାଲତ ଶାହଙ୍କୁ ୨୦୦୫ ମସିହାର ମିଥ୍ୟା ଏନକାଉଣ୍ଟର ମାମଲାରୁ ମୁକ୍ତ କରିସାରିଥିଲେ।