ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର ସରଗରମ ହୋଇଉଠିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଛତିଶଗଡ଼ରେ ନିର୍ବାଚନ ପ୍ରଚାର କରି ଭୋଟରମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଜାତିଗତ ଜନଗଣନା କଥା ଉଠାଇ ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀଜୀ ତାଙ୍କର ପ୍ରତିଟି ଭାଷଣରେ ଓବିସି ଶବ୍ଦ ବ୍ୟବହାର କରୁଛନ୍ତି କିନ୍ତୁ ଜାତିଗତ ଜନଗଣନା ପାଇଁ ସେ ଭୟ କରୁଛନ୍ତି। କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା କରିବ ବୋଲି ରାହୁଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଙ୍କେର ଜିଲ୍ଲାର ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନ ରାଲିରେ ମୋଦୀଙ୍କୁ ସମାଲୋଚନା କରି ସେ କହିଛନ୍ତି, ବିଜେପି ଚାଷୀ ଋଣ ଛାଡ଼ କରିପାରିବ ନାହିଁ କିନ୍ତୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବ। ସେମାନେ କେବଳ ଶିଳ୍ପପତି ଆଦାନିଙ୍କ ଋଣ ଛାଡ଼ କରିପାରିବେ। ଆମେ କହିଥିଲୁ ଯେ ଆମେ କୃଷକଙ୍କ ଋଣ ଛାଡ଼ କରିବୁ ଏବଂ ଆମେ ତାହା କଲୁ। ମୁଁ ପୁଣିଥରେ ସେହି ପ୍ରତିଜ୍ଞା କରୁଛି ଯେ ଆମେ ପୁଣିଥରେ ଛତିଶଗଡ଼ କୃଷକଙ୍କ କୃଷିଋଣ ଛାଡ଼ କରିବୁ। ରାହୁଲ ଆଜି ଛତିଶଗଡ଼ରେ କୃଷି ଋଣଛାଡ଼ ପ୍ରତିଶ୍ରୁତି ଦେବା ସହ ସ୍କୁଲଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରତିଶ୍ରୁତି ଦେଇଛନ୍ତି।
ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରତି ବ୍ୟାଙ୍କ ଆକାଉଣ୍ଟ୍ରେ ୧୫ ଲକ୍ଷ ଡିପୋଜିଟ୍ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କିଛି କଲେ ନାହିଁ। କିନ୍ତୁ ମୁଁ କୌଣସି ପ୍ରସଙ୍ଗରେ ମିଥ୍ୟା ପ୍ରତିଶ୍ରୁତି ଦେଉନାହିଁ। ରାହୁଲ କହିଛନ୍ତି, ବିଜେପି କୃଷକଙ୍କ ଟଙ୍କା ଆଦାନି ଗ୍ରୁପ୍କୁ ଦେଇଛି ଏବଂ ଏହା ୨ କିମ୍ବା ୩ ଜଣ ଶିଳ୍ପପତିଙ୍କ ପାଇଁ କାମ କରୁଛି। କଂଗ୍ରେସ ପୂରା ଦେଶର କଲ୍ୟାଣ ପାଇଁ କାମ କରୁଛି ବୋଲି ସେ କହିଛନ୍ତି।