ଅମୂଲ୍ୟ ଗୁଜରାଟୀଙ୍କୁ କିଣିପାରିବନି : ରାହୁଲ

ନୂଆଦିଲ୍ଲୀ: ହାର୍ଦ୍ଦିକ ପଟେଲଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଏବଂ ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍‌)ର ସଂଯୋଜକ ନରେନ୍ଦ୍ର ପଟେଲଙ୍କୁ ବିଜେପିରେ ମିଶିବା ପାଇଁ ୧ କୋଟି ଟଙ୍କା ଯଚାଯାଇଥିବା ବୋଲି ଗତକାଲି ସେ ଅଭିଯୋଗ ଆଣିବା ପରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଉପରେ ଖୁବ୍‌ ବର୍ଷିଛନ୍ତି। ଏକ ଟ୍ଵିଟ୍‌ ମାଧ୍ୟମରେ ରାହୁଲ କହିଛନ୍ତି ଯେ ଗୁଜରାଟ ହେଉଛି ଅମୂଲ୍ୟ। ନା ଗୁଜରାଟବାସୀଙ୍କୁ କେବେ କିଣାଯାଇପାରିବ ନା ସେମାନଙ୍କ କଣ୍‌ଞରୋଧ କରାଯାଇପାରିବ। କାହାକୁ ଆପଣାଇବା ପାଇଁ ବିଜେପି ଅସ୍ତ୍ର କରିଥିବା ଏହି ଅର୍ଥର ଲୋଭରେ କେହି ବଶ ହେବେନି।
ସୂଚନା ଥାଉ କି, ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନରେନ୍ଦ୍ର ବିଜେପି ପକ୍ଷରୁ ତାଙ୍କୁ ମିଳିଥିବା ୧୦ ଲକ୍ଷ ଟଙ୍କା ଦେଖାଇବା ସହ କହିଥିଲେ ଯେ ବାକି ୯୦ ଲକ୍ଷ ଟଙ୍କା ତାଙ୍କୁ ପରେ ମିଳିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ତେବେ ତାଙ୍କର ଅର୍ଥଲୋଭ ନାହିଁ ବୋଲି ନରେନ୍ଦ୍ର ସ୍ପଷ୍ଟ କରିଦେଇଥିଲେ। ପଟିଦାରଙ୍କ ବିକାଶ ପାଇଁ ସେ ଏହି ଅଭିଯାନରେ ଯୋଗ ଦେଇଛନ୍ତି। କୌଣସି ରାଜନୀତିକ ଫାଇଦା ପାଇଁ ନୁହେଁ।
ଅପରପକ୍ଷେ, ନରେନ୍ଦ୍ରଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରି ବିଜେପିରେ ଯୋଗଦେଇଥିବା ଅନ୍ୟତମ ପାସ୍‌ ନେତା ବରୁଣ ପଟେଲ କହିଛନ୍ତି ଯେ ପଟିଦାରମାନେ କଂଗ୍ରେସର ଷଡ଼ଯନ୍ତ୍ରକୁ ଭଲଭାବେ ଜାଣିବାପରେ ବିଜେପିକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ସେହିପରି ନରେନ୍ଦ୍ରଙ୍କର ଏହି ଅଭିଯୋଗକୁ ଏକ ସୁଚିନ୍ତିତ ଡ୍ରାମା ବୋଲି ବିଜେପି ପ୍ରବକ୍ତା ଭରତ ପାଣ୍ଡ୍ୟା କହିବା ସହ ନରେନ୍ଦ୍ରଙ୍କ ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର