ସରକାରଙ୍କୁ ରାହୁଲଙ୍କ କଟାକ୍ଷ, ପଦାରେ ପଡ଼ିଗଲା ଗୁଜରାଟ ମଡେଲ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏକ ଟ୍ବିଟ୍‌ କରି ଶାସକ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି ଗୁଜରାଟରେ ଦେଶର ସର୍ବାଧିକ ମୃତ୍ୟୁହାର ରହିଛି। ଜାତୀୟ ହାରାହାରିଠାରୁ ମଧ୍ୟ ଗୁଜରାଟରେ ମୃତ୍ୟୁହାର ଦୁଇଗୁଣା ଥିବାରୁ ଗୁଜରାଟ ମଡେଲ୍‌ ଏବେ ପଦାରେ ପଡ଼ିଯାଇଛି। କୋଭିଡ୍‌-୧୯ ମୃତ୍ୟୁହାର ନେଇ ରାହୁଲ ଆଜି ଏକ ଟ୍ବିଟ୍‌ କରିଛନ୍ତି। ଗୁଜରାଟରେ ମୃତ୍ୟୁହାର ୬.୨୫ ପ୍ରତିଶତ, ମହାରାଷ୍ଟ୍ରରେ ୩.୭୩ ପ୍ରତିଶତ, ରାଜସ୍ଥାନରେ ୨.୩୨ ପ୍ରତିଣତ, ପଂଜାବରେ ୨.୧୭ ପ୍ରତିଶତ, ପୁଡ଼ୁଚେରୀରେ ୧.୯୮ ପ୍ରତିଶତ, ଝାଡ଼ଖଣ୍ଡରେ ୦.୫ ପ୍ରତିଶତ ଏବଂ ଛତିଶଗଡ଼ରେ ୦.୩୫ ପ୍ରତିଶତ ରହିଛି ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି ଏବଂ ଏଥିସହ ଗୁଜରାଟ ମଡେଲ୍‌ ପଦାରେ ପଡ଼ିଯାଇଛି ବୋଲି ରାହୁଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଦେଶରେ ଚତୁର୍ଥ ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ଗୁଜରାଟ। ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଦିଲ୍ଲୀ ପରେ ଗୁଜରାଟରେ ସର୍ବାଧିକ ସଂକ୍ରମଣ ରହୁଛି। ଅନ୍ୟ ରାଜ୍ୟ ତୁଳନାରେ ଗୁଜରାଟରେ ମୃତ୍ୟୁହାର ମାତ୍ରାଧିକ ରହୁଛି। ଜାତୀୟ ହାରାହାରି ମୃତ୍ୟୁହାର ୨.୮୬ ପ୍ରତିଶତ ଥିବାବେଳେ ଗୁଜରାଟରେ ଏହାର ଦ୍ବିଗୁଣା ମୃତ୍ୟୁହାର ରହିଛି।

ସମ୍ବନ୍ଧିତ ଖବର