ରାହୁଲ ଗାନ୍ଧିଙ୍କ ସଦ୍ୟ ଆକ୍ଷେପ, ମୋଦୀଙ୍କ ଭାବମୂର୍ତ୍ତି ସହ ଚୀନ୍‌ ଆକ୍ରମଣକୁ ଯୋଡ଼ିଲେ

ନୂଆଦିଲ୍ଲୀ: ଲଦାଖ ସୀମା ଗଲଵାନ୍‌ ଉପତ୍ୟକାରେ ଚାନୀ ସେନା ସହ ଭାରତୀୟ ଯବାନଙ୍କ ମୁହାଁମୁହିଁ ସ୍ଥିତି ଆରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ଦାୟୀ କରି କଂଗ୍ରେସ ନେତା ରାହୁଲ ଗାନ୍ଧି ନିୟମିତ ବ୍ୟବଧାନରେ ଆକ୍ଷେପ କରିଆସିଛନ୍ତି। ତେବେ ତାଙ୍କର ସଦ୍ୟତମ ଶାଣିତ ଆକ୍ଷେପରେ ଚୀନୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତିକୁ ଆଳ କରି ଆକ୍ରମଣ କରିଛନ୍ତି ବୋଲି ରାହୁଲ ଅତି ନିର୍ଦ୍ଦୟ ଭାବେ ଆରୋପ କରି କହିଛନ୍ତି। ରାହୁଲଙ୍କ କହିବା କଥା, ମୋଦୀଙ୍କୁ ଜଣେ ରାଜନେତା ହିସାବରେ ରହିବା ଲାଗି ନିଜର ୫୬ ଇଞ୍ଚ ଚଉଡ଼ା ଛାତି ମାନସିକତାକୁ ବଜାୟ ରଖିବାକୁ ହେବ ବୋଲି ଚୀନୀମାନେ ଠିକ୍ ଅନୁଭବ କରିପାରିଛନ୍ତି।

ତେବେ ତାଙ୍କର ଏହି ଭାବମୂର୍ତ୍ତି ପାଇଁ ଯଦି ତାଙ୍କୁ କୌଶଳର ସହ ହେରଫେର କରିହେବ ବୋଲି ବିଚାର କରିବାକୁ ଚୀନୀମାନଙ୍କୁ ମୋଦୀ ସୁଯୋଗ ଦେଇପାରିଲେ, ତେବେ ଏଭଳି ପ୍ରଧାନମନ୍ତ୍ରୀ ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ରାହୁଲ କଟାକ୍ଷ କରିଛନ୍ତି। ଭାରତ-ଚୀନ୍‌ ମୁହାଁମୁହିଁ ସ୍ଥିତି ସମ୍ପର୍କରେ ସୋମବାର ରାହୁଲ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ଭିଡିଓ ବାର୍ତ୍ତାରେ ଏପରି କହିଛନ୍ତି। ଚୀନ୍‌ର ସାମରିକ ଖେଳ ଯୋଜନା ଶୀର୍ଷକ ଏହି ଅଢ଼େଇ ମିନିଟ୍‌ର ଏହି ଭିଡିଓରେ ଚୀନୀମାନେ କିପରି ମୋଦୀଙ୍କ ଉପରେ ଚାପ ପକାଇବା ଲାଗି ସୀମା ପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ତାହା ରାହୁଲ ବ୍ୟାଖ୍ୟା କରିଛନ୍ତି। ପୂର୍ବରୁ ଗତ ଶୁକ୍ରବାର ସେ ଛାଡ଼ିଥିବା ପ୍ରଥମ ଭିଡିଓ ବାର୍ତ୍ତାରେ ଦେଶର ସମ୍ପ୍ରତି ଦୁର୍ଦ୍ଦଶାଗ୍ରସ୍ତ ଅର୍ଥନୀତି, ବୈଦେଶିକ ନୀତି ଓ ପ୍ରତିବେଶ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଭାରତ ବିରୋଧରେ ଏପରି ଆକ୍ରମଣାତ୍ମକ ମନୋଭାବ ପୋଷଣ ପାଇଁ ପ୍ରୋତ୍ସାହିତ କରିଥିଲା ବୋଲି ରାହୁଲ ଆରୋପ ଲଗାଇଥିଲେ।

ସମ୍ବନ୍ଧିତ ଖବର