ପ୍ରିୟଙ୍କାଙ୍କୁ ଟାର୍ଗେଟ୍‌ ଦେଲେ ରାହୁଲ, ୟୁପିରେ କଂଗ୍ରେସ ସରକାର ଗଠନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ ଲାଗି ନବନିଯୁକ୍ତ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭାଇ ରାହୁଲ୍ ଗାନ୍ଧୀ ଟାର୍ଗେଟ୍ ଦେଇଛନ୍ତି। ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଆସିଥିବା ରାହୁଲ ଗାନ୍ଧୀ ଆଜି କହିଛନ୍ତି, ୟୁପିର ନବନିଯୁକ୍ତ ସାଧାରଣ ସଂପାଦକ ପ୍ରିୟଙ୍କା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆସନ୍ତା ନିର୍ବାଚନରେ ୟୁପିରେ ବିଜେପିକୁ ପରାଜିତ କରି କଂଗ୍ରେସ ସରକାର ଗଠନ କରିବା ଲାଗି ଟାର୍ଗେଟ ଦିଆଯାଇଛି। ଗୁଜରାଟ, ଉତ୍ତର ପ୍ରଦେଶ କିମ୍ବା ତାମିଲନାଡ଼ୁ ସବୁ ସ୍ଥାନରେ କଂଗ୍ରେସ ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଫ୍ରଣ୍ଟ ଫୁଟ୍‌ରେ ଲଢ଼େଇ କରିବ। ଆମେଥିରେ ଉଦବୋଧନ ଦେବାବେଳେ ସେ ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଓ ମାଆ ସୋନିଆଙ୍କୁ ଲୋକଙ୍କ ପାଇଁ ଲଢ଼ୁଥିବା ସୈନିକ ବୋଲି କହିଥିଲେ। ନରେନ୍ଦ୍ର ମୋଦୀ ଘୃଣାର ପ୍ରତୀକ। ୨୦୧୯ ନିର୍ବାଚନରେ ମୋଦୀଙ୍କୁ ଆମେ ହରାଇବୁ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ ବୋଲି ରାହୁଲ କହିଛନ୍ତି। ଆଜି ପୂର୍ବାହ୍ନରେ ରାହୁଲ ଏକ ଅତିଥି ଭବନରେ ଦଳୀୟ କର୍ମୀଙ୍କୁ ଭେଟିବା ପରେ ଏକ ଶିବ ମନ୍ଦିରକୁ ମଧ୍ୟ ଯାଇଥିଲେ।

ଦାୟିତ୍ବ ନେବା ପରେ ପ୍ରିୟଙ୍କା ପ୍ରଥମେ ରାଏବରେଲି ଯିବେ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଂପାଦକ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗତକାଲି ନିଯୁକ୍ତି ଦିଆଯାଇଛି। ପ୍ରିୟଙ୍କା ଏବେ ବିଦେଶ ଗସ୍ତରେ ଅଛନ୍ତି। ଆସନ୍ତା ଫେବ୍ରୁଆରିରେ ସେ ଭାରତ ଫେରିବା ପରେ ଏହି ଦାୟିତ୍ବ ନେବେ। ତେବେ ଏହି ଦାୟିତ୍ବ ନେବା ପରେ ପ୍ରିୟଙ୍କା ପ୍ରଥମେ ରାଏବରେଲିକୁ ଆସିବେ। ଲୋକଙ୍କ ସୁଖଦୁଃଖ ପଚାରି ବୁଝିବେ ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ରାଏବରେଲି ଗସ୍ତ ଅବସରରେ କହିଛନ୍ତି। ରାଏବରେଲିରୁ ଏବେ ‌ପ୍ରିୟଙ୍କାଙ୍କ ମାଆ ସୋନିଆ ଗାନ୍ଧୀ ଏମ୍‌ପି ଅଛନ୍ତି। ଗତକାଲି ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ପରେ ରାଏବରେଲିରୁ ନିର୍ବାଚନ ‌ଲଢ଼ିବେ ବୋଲି ଯେଉଁ କଳ୍ପନାଜଳ୍ପନା ‌ଆରମ୍ଭ ହୋଇଯାଇଥିଲା ରାହୁଲଙ୍କ ଆଜିର ମନ୍ତବ୍ୟ ତାହାକୁ ଆହୁରି ଖୋରାକ ଯୋଗାଇଛି। ଦୁଇଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଆସିଥିବା ରାହୁଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଚୌକିଦାର ସବୁ ସମୟରେ ମିଛ କହୁଛନ୍ତି। ଏଥିସହିତ ଜିଏସଟି, ବିମୁଦ୍ରୀକରଣ, ବେକାରି ଆଦି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର