ବିଜେପି ଲଣ୍ଡ୍ରିରେ ଧୋଇ ହୋଇ ସଫା ହୋଇଗଲା ଅଗଷ୍ଟା ଓ୍ବେଷ୍ଟଲାଣ୍ଡ :  ରାହୁଲ

ନୂଆଦିଲ୍ଲୀ : ଇଟାଲୀୟ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଲିଓନାର୍ଡୋ ସ୍ପା ଉପରୁ ଭାରତ ସରକାର ନିଷେଧାଜ୍ଞା ଉଠାଇନେବା ପରେ ଭାରତ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଦୁର୍ନୀତିଗ୍ରସ୍ତ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ବିଜେପି ଲଣ୍ଡ୍ରିରେ ଧୋଇ ହୋଇ ସଫା ହୋଇଗଲା ବୋଲି ରାହୁଲ ଟୁଇଟ କରି ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଉଛି ଲିଓନାର୍ଡୋ ସ୍ପାର ଏକ ଶାଖା କମ୍ପାନି । ୨୦୧୦ରେ ୧୨ଟି ଭିଭିଆଇପି ହେଲିକପ୍ଟର ଯୋଗାଣ ପାଇଁ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ସହ ଭାରତ ସରକାର ଚୁକ୍ତି କରିଥିଲେ । କିନ୍ତୁ ୨୦୧୨ରେ ଅଭିଯୋଗ ହୋଇଥିଲା ଯେ ଏହି ଡିଲ୍ ପାଇଁ କମ୍ପାନି ପକ୍ଷରୁ ଭାରତର କେତେକ ନେତା, ଏୟାରଫୋର୍ସ ଅଧିକାରୀ ଓ ବ୍ୟୁରୋକ୍ରାଟଙ୍କୁ ୩୬୦ କୋଟି ଟଙ୍କାର ଲାଞ୍ଚ ଦିଆଯାଇଥିଲା ।

ଗତ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ବୈଠକ ଅବସରରେ ଇଟାଲୀୟ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତର କିଛି ଦିନ ପରେ ଭାରତ ସରକାର ଲିଓନାର୍ଡୋ ସ୍ପା ଉପରୁ ଭାରତ ସରକାର ନିଷେଧାଜ୍ଞା ଉଠାଇ ଦେଇଥିଲେ ।

ଏହି କମ୍ପାନି ଦୁର୍ନୀତିଗ୍ରସ୍ତ ବୋଲି ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କହିଆସୁଥିଲେ । କିନ୍ତୁ ଏବେ କଣ ହେଲା ଯେ ଏହା ଉପରୁ ନିଷେଧାଜ୍ଞା ଉଠାଇ ନିଆଗଲା ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେବାଲା ପ୍ରଶ୍ନ କରିଛନ୍ତି ?

 

 

ସମ୍ବନ୍ଧିତ ଖବର