ୱେବସାଇଟରୁ ଲେଖା ହଟେଇଦେଲେ ସତ ବଦଳି ଯିବନାହିଁ : ମୋଦୀ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ଭାରତୀୟ ସୀମା ମଧ୍ୟକୁ ଚୀନ ସେନାଙ୍କ ଅନୁପ୍ରବେଶକୁ ନେଇ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି । ବିଶେଷକରି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚୀନର ଅନୁପ୍ରବେଶକୁ ସ୍ୱୀକାର କରି ନିଜ ୱେବସାଇଟରେ ଲେଖା ପ୍ରକାଶ ପାଇବା ପରେ ତାକୁ ପୁଣି ଥରେ ହଟାଇନେବାକୁ ନେଇ କଂଗ୍ରେସ ସରକାରଙ୍କୁ ଆକ୍ରମଣ କରିଛି ।

 

ଏକ ଟ୍ଵିଟ କରି ରାହୁଲ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ଚୀନ ଆଗରେ ଛିଡ଼ା କଣ ହେବେ ସେ ଚୀନର ନାଁ ମଧ୍ୟ ନେବାକୁ ଭୟ କରୁଛନ୍ତି । ଚୀନ ଆମ ସୀମାରେ ଅନୁପ୍ରବେଶ କରିବା କଥାକୁ ସ୍ୱୀକାର ନକରିବା ଓ ୱେବସାଇଟରୁ ଲେଖା ହଟାଇଦେବା ଦ୍ୱାରା ସତ୍ୟ ବଦଳିଯିବ ନାହିଁ ।
କେବଳ ରାହୁଲ ନୁହନ୍ତି କଂଗ୍ରେସ ମୁଖପାତ୍ର ଅଜୟ ମାକେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଚୀନ ସେନା ମେ ୧୭-୧୮ରୁ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ, ଜୁନ ୧୫ରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । କିନ୍ତୁ ଜୁନ ୧୯ରେ ମୋଦୀ କହିଥିଲେ ଯେ କେହି ଅନୁପ୍ରବେଶ କରି ନାହାନ୍ତି ଓ ଇଞ୍ଚେ ଜମି କେହି ନେଇନାହାନ୍ତି ।

ଚଳିତ ସପ୍ତାହ ଆରମ୍ଭରେ ପ୍ରତିରକ୍ଷା ମନ୍ତ୍ରାଳୟ େଓ୍ଵବସାଇଟରେ ପ୍ରକାଶିତ ଲେଖାରେ ଚୀନ ସେନାର ଅନୁପ୍ରବେଶକୁ ସ୍ୱୀକାର କରାଯାଇଥିଲା । ଏହି ସ୍ଥିତି ଦୀର୍ଘଦିନ ଧରି ଚାଲିଥିଲା ବୋଲି ମଧ୍ୟ ଏହି ଲେଖାରେ କୁହାଯାଇଥିଲା । କିନ୍ତୁ ଏବେ ସେହି ଲେଖାକୁ ହଟାଇଦିଆଯାଇଛି ।

ସମ୍ବନ୍ଧିତ ଖବର