ଆଇସିୟୁରେ ପହଞ୍ଚିଯାଇଛି ଭାରତୀୟ ଟଙ୍କା : ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତୀୟ ଟଙ୍କା ଆଇସିୟୁରେ ପହଞ୍ଚିଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।

ଏକ ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋଦୀ ଭାରତର ଆର୍ଥିକ ଓ ସାମାଜିକ ଦୁରାବସ୍ଥାକୁ ଅଧିକ ଦିନ ଲୁଚେଇ ରଖିପାରିବେ ନାହିଁ । ମୋଦୀ ନିଜର ପ୍ରଚାର କରିବା ବଦଳରେ ଏହି ଆର୍ଥିକ ସଂକଟର ସମାଧାନ ବାହାର କରିବାକୁ ଉଦ୍ୟମ କରନ୍ତୁ ବୋଲି ରାହୁଲ ଲେଖିଛନ୍ତି ।

ମୋଦୀଙ୍କ ଶାସନରେ ପେଟ୍ରୋଲ ୧୦୦ ଟଙ୍କା, ଏଲପିଜି ୧୦୦୦ ଟଙ୍କା ଛୁଇଁବା ପରେ ଏବେ ଟଙ୍କା ଡଲାର ତୁଳନାରେ ୧୦୦ ଛୁଇଁବା ଆଡକୁ ଯାଉଛି ।

ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ବାଲା କହିଛନ୍ତି ଯେ ସ୍ବାଧୀନ ଭାରତରେ ଟଙ୍କାର ଏପରି ଦୁରାବସ୍ଥା କେବେ ହୋଇନଥିଲା । ଟଙ୍କାର ମୂଲ୍ୟ ମୋଦୀଙ୍କ ବୟ ଟପି ବିଜେପି ମାର୍ଗଦର୍ଶକ ମଣ୍ଡଳରେ ଥିବା ନେତାମାନଙ୍କ ( ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ) ବୟସ ନିକଟବର୍ତ୍ତୀ ହୋଇଗଲାଣି ।

ସୂଚନାଯୋଗ୍ୟ ଯେ, ଡଲାର ତୁଳନାରେ ଭାରତୀୟ ଟଙ୍କା ରେକର୍ଡ ନିମ୍ନତା ୭୭.୫୮କୁ ଖସିଯାଇଛି । ଏହା ସହିତ ଟଙ୍କା ସବୁଠାରୁ ଦୁର୍ବଳ ସ୍ତରକୁ ପହଞ୍ଚିଯାଇଛି । ବିଭିନ୍ନ କାରଣରୁ ଅନ୍ତର୍ଜାତୀୟ ବଜାରରେ ଡଲାର ସୁଦୃଢ ହୋଇଚାଲିଛି । ଗତ ସପ୍ତାହରେ ୟୁଏସ ଫେଡେରାଲ ରିଜର୍ଭ ପକ୍ଷରୁ ସୁଧହାର ବଢାଯିବା ପରେ ଡଲାର ମୂଲ୍ୟ ବୃଦ୍ଧି ପାଇଛି । ଏହି କାରଣରୁ ଟଙ୍କା ଦୁର୍ବଳ ହୋଇଚାଲିଛି ।

ସମ୍ବନ୍ଧିତ ଖବର