ରାହୁଲ-ସଚିନଙ୍କ ମାରାଥନ ବୈଠକ: ରାଜସ୍ଥାନ ରାଜନୀତି ସରଗରମ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ତୀବ୍ର ଗୋଷ୍ଠୀ ବିବାଦ ଭିତରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି। ରାଜସ୍ଥାନକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ସହ ମାରାଥନ୍‌ ବୈଠକ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଏହି ବୈଠକରେ ରାଜସ୍ଥାନର ସାମ୍ପ୍ରତିକ ସ୍ଥିତି ସହ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଛି। ରାଜସ୍ଥାନର ପରିସ୍ଥିତିକୁ ନେଇ ଚଳିତ ବର୍ଷ ରାହୁଲ ଗାନ୍ଧିଙ୍କର ଏହା ହେଉଛି ପ୍ରଥମ ବୈଠକ। ତେବେ ଏହି ବୈଠକ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗୋଷ୍ଠୀର କୌଣସି ପ୍ରତିକ୍ରିୟା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ସଚିନ୍‌ ପାଇଲଟ୍‌ ୨୦୨୦ ଜୁଲାଇ ପର୍ଯ୍ୟନ୍ତ ରାଜସ୍ଥାନ କଂଗ୍ରେସର ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ଥିଲେ। ଅଶୋକ ଗେହଲଟ୍‌ ଏବଂ ସଚିନଙ୍କ ମଧ୍ୟରେ ବଡ଼ ବିବାଦ ସାମ୍ନାକୁ ଆସିବା ସହ ଉଭୟ ନିଜ ସମର୍ଥକ ବିଧାୟକମାନଙ୍କୁ ପରସ୍ପର ବିରୋଧରେ ଏକଜୁଟ କରିଥିଲେ। ସରକାରରେ କନ୍ଦଳ ଚରମରେ ପହଞ୍ଚିବାରୁ ସଚିନ ପାଇଲଟଙ୍କଠାରୁ ଦୁଇଟିଯାକ ପଦବି ପ୍ରତ୍ୟାହାର କରି ନିଆଯାଇଥିଲା। ଏବେ ରାହୁଳଙ୍କ ସହ ସଚିନ୍‌ଙ୍କ ବୈଠକକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ସମ୍ବନ୍ଧିତ ଖବର