ନୂଆଦିଲ୍ଲୀ: ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ଘୋଷଣା ରବିବାର କରାଯିବ ବୋଲି ଜଣାପଡ଼ିଛି। ଛତିଶଗଡ଼  କଂଗ୍ରେସ ପ୍ରଭାରୀ ପି.ଏଲ୍‌.ପୁନିଆ କହିଛନ୍ତି ଯେ, ରବିବାର ରାୟପୁରରେ ବିଧାୟକ ଦଳ ବୈଠକ ହେବ। ସେହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।
Advertisment
ଏଥିସହ କଂଗ୍ରେସ ପକ୍ଷରୁ କୁହାଯାଉଛି କି, ଛତିଶଗଡ଼ର ରାଜ୍ୟପାଳ  ଡିସେମ୍ବର ୧୭ ତାରିଖ ଅପରାହ୍ଣ ୪.୩୦ରେ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଲାଗି ନିମନ୍ତ୍ରଣ କରିଛନ୍ତି। ତେଣୁ ହାତରେ ବହୁ ସମୟ ରହିଛି।  ରବିବାର ମଧ୍ୟାହ୍ଣ ୧୨.୩୦ରେ କଂଗ୍ରେସ ବିଧାୟକ ଦଳ ବୈଠକ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।

ଶନିବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ତୋଗ୍‌ଲକ୍‌ ଲେନ୍‌ ବାସଭବନରେ ଛତିଶଗଡ଼ର ୪ ଜଣ ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ୍‌.ସିଂହଦେଓ, ତାମ୍ରଧ୍ୱଜ ସାହୁ, ଭୁପେଶ୍‌ ବାଘ୍‌ଲେ ଏବଂ ଚରଣ ଦାସ ମହନ୍ତଙ୍କ ସହ ଏକାଧିକ ବୈଠକ କରିସାରିଛନ୍ତି।  ଗୁରୁତ୍ୱପୂର୍ଣ୍ଣ କଥା ହେଲା,ବୈଠକ ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ବି ଉପସ୍ଥିତ ଥିଲେ।
ଆଜି ଅପରାହ୍ଣରେ ଛତିଶଗଡ଼ର ୪ ନେତାଙ୍କ ସହ ରାହୁଲଙ୍କର ଏକ ଟ୍ଵିଟ୍‌ ଦେଖିବାକୁ ମିଳିଛି। ଯାହା ସୂଚନା ଦେଉଛି କି ରାହୁଲ କାହାକୁ ମୁଖ୍ୟମନ୍ତ୍ରୀ କରିବେ ତାହା ସ୍ଥିର  କରିସାରିଛନ୍ତି, ଖାଲି ଔପଚାରିକ ଘୋଷଣା ବାକି।