ଦୁଷ୍କର୍ମ ପୀଡ଼ିତାଙ୍କ ବାପା ମା’ଙ୍କ ଫଟୋ ଟ୍ବିଟ୍‌ କରି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ଜଣେ ଦଳିତ ନାବାଳିକାଙ୍କ ପରିବାରକୁ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଭେଟିବା ପରେ ପୀଡ଼ିତାଙ୍କ ବାପା ମା’ଙ୍କ ଫଟୋ ଟ୍ବିଟ୍‌ କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ବିଜେପି ଏଥିପାଇଁ ରାହୁଲଙ୍କୁ କଡ଼ା ସମାଲୋଚନା କରିଛି। ରାହୁଲ ପୋକ୍ସ ଆଇନର ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି କହିଛି। ଉକ୍ତ ଘଟଣାରେ ଏନ୍‌ସିପିସିଆର ହସ୍ତକ୍ଷେପ କରିବା ସହ ରାହୁଲଙ୍କୁ ନୋଟିସ୍‌ କରିବାପାଇଁ ବିଜେପି ଦାବି କରିଥିବା ଜଣାପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ପୋକ୍ସ ଆଇନର ଉଲ୍ଳଂଘନ କରି ଦୁଷ୍କର୍ମ ପୀଡ଼ିତାଙ୍କ ବାପା ମା’ଙ୍କ ଫଟୋ ଟ୍ବିଟ୍‌ କରିଛନ୍ତି। ପୀଡ଼ିତାଙ୍କର ଯେକୌଣସି ପରିଚୟ ପ୍ରଘଟ କରିବା ଏକ ଅପରାଧ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏନ୍‌ସିପିସିଆର (ନ୍ୟାସନାଲ କମିସନ ଫର୍‌ ପ୍ରୋଟେକ୍ସନ ଅଫ ଚିଲ୍ଡ୍ରେନ୍ସ ରାଇଟ୍ସ) ଟ୍ବିଟର୍‌ ଇଣ୍ଡିଆକୁ ଏନେଇ ନୋଟିସ୍‌ କରିଛି। ରାହୁଲଙ୍କ ଦ୍ବାରା ପୋଷ୍ଟ ହୋଇଥିବା ଫଟୋ ତୁରନ୍ତ ହଟାଇବା ପାଇଁ ଏନ୍‌ସିପିସିଆର୍ ଟ୍ବିଟର୍‌କୁ ନୋଟିସ୍‌ କରିଛି। ରାହୁଲ ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବାପରେ ସେମାନଙ୍କ ସହ ଏକ ଫଟୋ ଟ୍ବିଟ୍‌ କରିଥିଲେ।

ସମ୍ବନ୍ଧିତ ଖବର