ଏବେ ‘କର୍ଣ୍ଣାଟକ ମଡେଲ’ ରାହୁଲଙ୍କ ଅସ୍ତ୍ର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଶାସକ କଂଗ୍ରେସ ଦଳ କ୍ଷମତା ବଜାୟ ରଖିବାକୁ ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛି। ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଗରେ କର୍ଣ୍ଣାଟକ ନିର୍ବାଚନ ସବୁଠାରୁ ବଡ଼ ଚ୍ୟାଲେଂଜ ହୋଇଥିବାରୁ ଏବେ ସେ ଏହା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ନିର୍ବାଚନ ହେବାକୁ ଅଛି ଏବଂ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହିଁ ଦଳକୁ ନୂଆ ଜୀବନ ଦେବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ଅନ୍ୟଥା ୨୦୧୯ ନିର୍ବାଚନରେ ରାହୁଲ ମୋଦିଙ୍କୁ ଟକ୍କର ଦେବା ଏତେ ସହଜ ହେବନାହିଁ ବୋଲି ଆଲୋଚନା ହେଉଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ସକରାର ୨୦୧୮-୧୯ ବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟ୍‌ରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ବେକାରଙ୍କୁ କର୍ମନିଯୁକ୍ତି ଏବଂ କୃଷକଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଏବେ ରାହୁଲ ଗାନ୍ଧୀ କର୍ଣ୍ଣାଟକ ମଡେଲକୁ ଅସ୍ତ୍ର କରି ଅନ୍ୟ ବିଜେପି ଶାସିତ ରାଜ୍ୟରେ ତାଙ୍କ ପ୍ରଚାର କରିବେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିବେ ବୋଲି ଜଣାପଡ଼ିଛି । କର୍ଣ୍ଣାଟକ ମଡେଲରେ ସମସ୍ତଙ୍କୁ କାମ ମିଳୁଛି ଏବଂ ସରକାରଙ୍କ ନୀତି ସଫଳତାପୂର୍ବକ ଲାଗୁ ହେଉଛି ବୋଲି ରାହୁଲ କହିଛନ୍ତି। ଡିସେମ୍ବରରେ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ କଂଗ୍ରେସ ବିଜେପିକୁ ୧୦୦ ସିଟ୍‌ ମଧ୍ୟରେ ସୀମିତ ରଖିବାରେ ସକ୍ଷମ ହୋଇଥିବା ବେଳେ ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରି ଉତ୍ସାହିତ ହୋଇଛି। ଏହା ସହିତ ଏବେ କର୍ଣ୍ଣାଟକ ମଡେଲକୁ ଅସ୍ତ୍ର କରି ନିର୍ବାଚନ ପ୍ରଚାର ଆଗେଇ ନେବାକୁ କଂଗ୍ରେସ ଯୋଜନା କରିଛି। କର୍ଣ୍ଣାଟକର ସ୍ଥାନୀୟ ନେତାଙ୍କ ସହ ରାହୁଲ ଘନଘନ ଆଲୋଚନା କରି ରଣନୀତି ତୟାର କରୁଥିବା ବେଳେ କଂଗ୍ରେସର ଖେଳ ବିଗାଡ଼ିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଗୋଟି ଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର