ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦ୍ୟ ଭୋଟ୍‌ ଚୋରି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ରାହୁଲଙ୍କୁ କଡ଼ା ଜବାବ ଦେଇ ବିଜେପି କହିଛି ଯେ ରାହୁଲ ଗାନ୍ଧୀ ଭାରତରେ ନେପାଳ ଏବଂ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିବାକୁ ଚାହୁଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁର ଗୁରୁବାର ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଗଣତନ୍ତ୍ରକୁ ଦୁର୍ବଳ କରିବାପାଇଁ ଏବଂ ନାଗରିକଙ୍କୁ ବିଭ୍ରାନ୍ତ କରିବାପାଇଁ ଚେଷ୍ଟା‌ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରାଗ ଠାକୁର କହିଛନ୍ତି, ରାହୁଲ ଗାନ୍ଧୀ ଲଗାତାର ନିର୍ବାଚନ କମିସନଙ୍କ ବିରୋଧରେ ଅଭିଯୋଗ କରିବା ଦର୍ଶାଉଛି ଯେ କଂଗ୍ରେସ ଦଳର ଭାରତୀୟ ଗଣତନ୍ତ୍ର ଉପରେ ବିଶ୍ବାସ ନାହିଁ। ସେମାନେ ଅଭିଯୋଗର ରାଜନୀତିକୁ ସେମାନଙ୍କ ଅଳଙ୍କାରରେ ପରିଣତ କରିଛନ୍ତି।

ନିଜ ଉପରେ ‘ହାଇଡ୍ରୋଜେନ୍‌ ବୋମା’ ପକାଇଛନ୍ତି ରାହୁଲ: ବିଜେପି

Advertisment

ଯେତେବେଳେ ସେମାନେ କରିଥିବା ଅଭିଯୋଗ ଉପରେ ପ୍ରମାଣ ରଖିବାପାଇଁ ନିର୍ବାଚନ କମିସନ କହିଲେ ସେତେବେଳେ ‌ସେମାନେ ଦୌଡ଼ି ପଳାଇଲେ। ସତ୍ୟପାଠ ଦାଖଲ କରିବାପାଇଁ ନିର୍ଦ୍ଦେଶ ସତ୍ତ୍ବେ କିଛି ଉତ୍ତର ମିଳିଲାନି। ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରିବା ରାହୁଲ ଗାନ୍ଧୀଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି। ଅନୁରାଗ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଦଳ କ’ଣ ‘ଭୋଟ୍‌ ଚୋରି’ ଦ୍ବାରା ୨୦୨୩ ନିର୍ବାଚନରେ ଆଲନ୍ଦ ବିଧାନସଭା ଆସନରୁ ଜିତିଥିଲା କି। ରେକର୍ଡ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ଆଲନ୍ଦ ନିର୍ବାଚନମଣ୍ଡଳୀରେ ଜିତିଛନ୍ତି। ତେବେ କଂଗ୍ରେସ କ’ଣ ଏଠାରେ ଭୋଟ୍‌ ଚୋରି କରି ଜିତିଛି କି ବୋଲି ଅନୁରାଗ ପ୍ରଶ୍ନ କରିଛନ୍ତି। ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ଏହା ପ୍ରମାଣ କରିଛି ଯେ ସେ ନିଜ ଉପରେ ‘ହାଇଡ୍ରୋଜେନ୍‌ ‌ବୋମା’ ପକାଇଛନ୍ତି। ସେ ଏଠାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ନାହାନ୍ତି ବୋଲି ନିଜେ ସ୍ବୀକାର କରିଛନ୍ତି।