ବେଙ୍ଗାଲୁରୁ: ଆସନ୍ତା ମେ ୧୦ରେ କର୍ଣ୍ଣାଟକରେ ଭୋଟଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଫଳାଫଳ ଆସିବ | ଆଉ ଏହି ଘୋଷଣା ପରେ ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଏହି ନିର୍ବାଚନରେ ମୁଖ୍ୟତଃ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢେଇ ହେବ ବୋଲି କୁହାଯାଉଛି | ବିଜେପି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭଳି ବରିଷ୍ଠ ନେତାମାନେ ପ୍ରଚାର ଭାର ସମ୍ଭାଳିବାକୁ ଥିବାବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ରାହୁଲ ଗାନ୍ଧୀ ପ୍ରଚାର ଅଭିଯାନର ନେତୃତ୍ୱ ନେବେ। ତେବେ ବିଶେଷ କଥା ହେଉଛି ରାହୁଲ ଗାନ୍ଧୀ ସେହି ସ୍ଥାନରୁ କର୍ଣ୍ଣାଟକରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଠାରୁ ସେ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ବିବାଦୀୟ ବୟାନ ଦେଇ ବର୍ତ୍ତମାନ ଲୋକସଭା ସଦସ୍ୟତା ହରାଇଛନ୍ତି |

Advertisment

ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ତାଙ୍କର କର୍ଣ୍ଣାଟକରେ ନିର୍ବାଚନ ଅଭିଯାନ ସେହି ସ୍ଥାନରୁ ଆରମ୍ଭ କରିବେ, ଯେଉଁଠାରେ ‘ମୋଦୀ ସାଙ୍ଗିଆ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ | ଏପ୍ରିଲ୍ ୫ରୁ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ କୋଲାରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି | ୨୦୧୯ ମସିହାରେ କୋଲାରରେ ହିଁ ‘ସବୁ ଚୋରଙ୍କ ସାଙ୍ଗିଆ ମୋଦୀ’ ଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଥିଲେ। ପରେ ଏହି ମନ୍ତବ୍ୟକୁ ନେଇ ରୁଜୁ ମାନହାନି ମାମଲାରେ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ହୋଇଥିଲା ଓ  ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା | କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର କହିଛନ୍ତି ଯେ ରାହୁଲ ଗାନ୍ଧୀ କୋଲାରକୁ ଫେରିବେ ଏବଂ ତାଙ୍କ ସତ୍ୟମେଵ ଜୟତେ ରାଲି ଆରମ୍ଭ କରିବେ।

ଉଲ୍ଲେଖ ଥାଉ କି ୨୦୧୯ ନିର୍ବାଚନ ପୂର୍ବରୁ କୋଲାରରେ ଏକ ରାଲିରେ ରାହୁଲ ଗାନ୍ଧୀ କହିଥିଲେ ଯେ ସବୁ ଚୋରଙ୍କର ସାଙ୍ଗିଆ କିଭଳି 'ମୋଦୀ'? ପଳାତକ ବ୍ୟବସାୟୀ ଲଲିତ ମୋଦୀ ଏବଂ ନିରବ ମୋଦୀଙ୍କ ପ୍ରସଙ୍ଗରେ ସେ ଏହା କହିଥିଲେ। କିନ୍ତୁ ଏହାକୁ ଓବିସି ବର୍ଗଙ୍କ ପ୍ରତି ଅପମାନ ବୋଲି ଦର୍ଶାଇ ଗୁଜୁରାଟର ବିଜେପି ନେତା ପୂର୍ଣ୍ଣେଶ ମୋଦୀ ଏକ ମାମଲା ଦାୟର କରିଥିଲେ। ଯେଉଁଥିପାଇଁ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ | ଆଉ ଏହାପରେ ଜନପ୍ରତିନିଧି ଆଇନର ବ୍ୟବସ୍ଥା ଅନୁସାରେ ଲୋକସଭା ସଦସ୍ୟତା ରଦ୍ଦ କରିଦିଆଯାଇଥିଲା |