ବୁଧବାର ଅମେଥି ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ରାହୁଲ ଗାନ୍ଧୀ ଆଜି ନିଜର ପାରମ୍ପରିକ ଆସନ ଅମେଥି ଯିବେ | ୨୦୧୯ ନିର୍ବାଚନରେ ଏଠାରୁ ସେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରିଯାଇଥିଲେ | ତେବେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ପାଇଁ ରାହୁଲ ଅମେଥି ଯିବେ | କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି ଅମେଥିର ଜନସାଧାରଣ ରାହୁଲଙ୍କୁ ଏତେ ଭଲପାଇବା ଦେଇଥିବା ଯୋଗୁଁ ତାଙ୍କୁ କୃତଜ୍ଞତା ଜଣାଇବାକୁ ରାହୁଲ ଅମେଥି ଯିବେ |

DD News

ତାଙ୍କ ସହ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅମେଥି ଯିବେ | ରାହୁଲ ଏଠାକାର ଲୋକଙ୍କୁ ଭେଟିବା ସହ ଅମେଥିରେ କଂଗ୍ରେସ କାହିଁକି ହାରିଲା ତାହାର ସମୀକ୍ଷା କରିବେ | ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ୫୫ ହଜାରରୁ ଅଧିକ ଭୋଟରେ ହାରିଯାଇଥିଲେ |

ତେବେ କେରଳର ବାୟନାଡ଼ ଆସନରୁ ସେ ଜିତିଥିଲେ | କଂଗ୍ରେସ ନେତା ଦୀପକ ସିଂ କହିଛନ୍ତି ଯେ ରାହୁଲଙ୍କ ପାଇଁ ଅମେଥି ପରିବାର ଭଳି ସ୍ୱତନ୍ତ୍ର ସ୍ଥାନ ରଖିଛି | ତେଣୁ ନିଜ ପରିବାର ସଦସ୍ୟଙ୍କୁ ଭେଟିବାକୁ ରାହୁଲ ଅମେଥି ଆସୁଛନ୍ତି |

ସମ୍ବନ୍ଧିତ ଖବର