ରାହୁଲ୍‌ ପୁଣି ଧରିବେ କଂଗ୍ରେସ ମଙ୍ଗ!

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧିଙ୍କୁ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ କରିବା ଆଗି ଆଜି ଦଳର କିଛି ବରିଷ୍ଠ ନେତା ଏକ ଭର୍ଚୁଆଲ ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦାବି ଜଣାଇଛନ୍ତି। ଦଳର ପୁରୁଖା ନେତା ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ। ଦେଶରେ ମହାମାରୀ କୋଭିଡ୍-୧୯ର ସ୍ଥିତି ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଉକ୍ତ ବୈଠକ ଆହୂତ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାହୁଲ୍‌ ହିଁ ଦଳର ନେତୃତ୍ବ ନେବା ଉଚିତ ବୋଲି ଦିଗ୍‌ବିଜୟ ପ୍ରସ୍ତାବ ରଖିଥିଲେ। ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ରାହୁଲ୍‌ ଶାଣିତ ସ୍ବର ଉତ୍ତୋଳନ କରୁଥିବାରୁ ସେ ହିଁ ଦଳର ଏହି ଶୀର୍ଷ ପଦବି ପାଇଁ ଯୋଗ୍ୟ ବୋଲି ଦିଗ୍‌ବିଜୟ ନିଜ ଅଭିଳାଷ ବ୍ୟକ୍ତ କରିଥିଲେ।

ସେହିପରି ରାଜୀବ ସତାବ, ଶକ୍ତିନୀଶ ଗୋହିଲ ଓ ନୀରଜ ଡାଙ୍ଗିଙ୍କ ସମେତ ଆଉ କିଛି ନେତା ମଧ୍ୟ ଦିଗ୍‌ବିଜୟଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ରାଜ୍ୟସଭା ସାଂସଦ ତଥା ଏଆଇସିସି ମହାସଚିବ(ସାଂଗଠନିକ) କେସି ବେଣୁଗୋପାଳ ମଧ୍ୟ ରାହୁଲଙ୍କ ଆଭିମୁଖ୍ୟକୁ ଖୁବ୍‌ ପ୍ରଶଂସା କରିଥିଲେ। ପୂର୍ବରୁ ଗତ ୧୧ ତାରିଖରେ ମଧ୍ୟ ଲୋକସଭା ସାଂସଦ ମଣିକମ୍‌ ଟାଗୋର, ଗୌରବ ଗୋଗୋଇ ଏବଂ ଅନ୍ୟ ସାଂସମାନେ ରାହୁଲଙ୍କୁ ଦଳର ମୁଖ୍ୟ କରିବା ଲାଗି ଅନୁରୂପ ଦାବି ଉଠାଇଥିଲେ। ସୂଚନାଯୋଗ୍ୟ, ଦଳର ଅନ୍ତରୀଣ ଅଧ୍ୟକ୍ଷା ହିସାବରେ ସୋନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ବର୍ଷେ ପୂରୁଥିବା ବେଳେ ରାହୁଲଙ୍କ ସପକ୍ଷରେ ଏପରି ଦାବି ଗୁରୁତ୍ବ ବହନ କରୁଛି। ତେବେ ସୋନିଆଙ୍କ କାର୍ଯ୍ୟକାଳ ପୁଣି ସମ୍ପ୍ରସାରିତ ହେଉଛି ନା ଆଉ କିଏ ଦଳର ହାଇକମାଣ୍ଡ୍‌ ହେଉଛି ତାହା କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତିରୁ ଜଣାପଡ଼ିବ।

ସମ୍ବନ୍ଧିତ ଖବର