ହିଂସାତ୍ମକ ମୋଡ଼ ନେଉଛି କୃଷକ ଆନ୍ଦୋଳନ, ପଞ୍ଜାବ କୃଷକ ଆନ୍ଦୋଳନରେ ସାମିଲ ହେବେ ରାହୁଲ

ଇଣ୍ଡିଆ ଗେଟ୍ ସାମ୍ନାରେ ଟ୍ରାକ୍ଟର ଜାଳି ୫ କଂଗ୍ରେସ କର୍ମୀ ଗିରଫ

 

ନୂଆଦିଲ୍ଲୀ: କୃଷି ବିଲ୍‌କୁ ବିରୋଧ ତୀବ୍ର ହେବାରେ ଲାଗିଛି। ସଂସଦରେ ଉକ୍ତ ବିଲ୍‌କୁ ଗୃହୀତ କରାଯିବା ପରେ ଏହାକୁ ନେଇ ଉତ୍ତର ଭାରତର ପଞ୍ଜାବ ଓ ହରିୟାଣାରେ ଆନ୍ଦୋଳନ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଦେଶର ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆନ୍ଦୋଳନକାରୀମାନେ ଦିଲ୍ଲୀରେ କଡ଼ା ସୁରକ୍ଷାକୁ ଭେଦକରି ଇଣ୍ଡିଆ ଗେଟ୍ ସାମ୍ନାରେ ଟ୍ରାକ୍ଟର ପୋଡ଼ିଛନ୍ତି। ଇଣ୍ଡିଆ ଗେଟ୍‌ ନିକଟ ରାଜପଥରେ ଏହି ଘଟଣା ସକାଳେ ଘଟିଛି। ଉକ୍ତ ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି।

କଂଗ୍ରେସ ଶାସିତ ରାଜ୍ୟରେ ଆଇନ କାର୍ଯ୍ୟକାରୀ ନକରିବାକୁ ସୋନିଆଙ୍କ ପରାମର୍ଶ

୧୫ରୁ ୨୦ ଜଣ ଆନ୍ଦୋଳନକାରୀ ଟ୍ରାକ୍ଟରରେ ପ୍ରଥମେ ନିଆଁ ଲଗାଇ ସେଠାରେ ସ୍ଲୋଗାନ ଦେଇଥିଲେ। ଏହାପରେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଘଟଣାସ୍ଥଳକୁ ତୁରନ୍ତ ଦୁଇଟି ନିଆଁଲିଭା ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ଏକ ଟାଟା ୪୦୭ ଗାଡ଼ିରେ ଟ୍ରାକ୍ଟରକୁ ଇଣ୍ଡିଆ ଗେଟ୍‌ ସାମ୍ନାକୁ ଆଣି ଏହି କାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀମାନେ ପଞ୍ଜାବ ଯୁବ କଂଗ୍ରେସର ସଦସ୍ୟ ବୋଲି ଦାବି କରିଛନ୍ତି। ଏହି ଅଞ୍ଚଳ ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ରହିଛି। ହାଇ ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ଏହି ଅଞ୍ଚଳରେ ଲାଗିଛି। ଆନ୍ଦୋଳନକାରୀମାନଙ୍କର ଗାଡ଼ି ନମ୍ବରଗୁଡ଼ିକ କ୍ୟାମେରାରେ ରେକର୍ଡିଂ ହୋଇ ରହିଛି। ଏହି କାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଇନୋଭା କାର୍‌କୁ ମଧ୍ୟ ଜବତ କରାଯାଇଛି। ପୂର୍ବରୁ ପଞ୍ଜାବରେ ୩ ଦିନିଆ ରେଳରୋକୋ ଗତ ଶନିବାର ପର୍ଯ୍ୟନ୍ତ ହୋଇଥିଲା। ତେବେ ଆଜି କର୍ଣ୍ଣାଟକରେ କୃଷକ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବନ୍ଦ ପାଳନ କରିଛନ୍ତି। ବିଏସ୍‌ ୟେଦୁରପ୍ପା ସରକାରଙ୍କ ଦ୍ବାରା ଜମି ସଂସ୍କାର ଆଇନ ଓ ଏପିଏମ୍‌ସି ଆଇନରେ ସଂଶୋଧନକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି। ଏହି ଆନ୍ଦୋଳନକୁ ବିରୋଧୀ କଂଗ୍ରେସ ଓ ଜେଡି(ଏସ୍‌) ସମେତ କନ୍ନଡ଼ ସପକ୍ଷବାଦୀ ଓ ଅ‌ନ୍ୟ କେତେକ ସଂଗଠନ ସମର୍ଥନ କରିଛନ୍ତି। ସଂସଦରେ ଗୃହୀତ ହୋଇଥିବା କୃଷି ବିଲ୍‌କୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧି କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ନୂଆ କୃଷି ଆଇନ କାର୍ଯ୍ୟକାରୀ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏ ଦିଗରେ ସମସ୍ତ ବିକଳ୍ପ ସନ୍ଧାନ କରିବାକୁ ସେ କହିଛନ୍ତି।

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କୃଷି ବିଲ୍‌କୁ ବିରୋଧ କରି ପଂଜାବରେ ଚାଲିଥିବା କୃଷକ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସରକାରଙ୍କ ନୂଆ କୃଷି ବିଲ୍‌କୁ କଂଗ୍ରେସ ଜୋର୍‌ଦାର ବିରୋଧ କରୁଛି। ପଂଜାବରେ କଂଗ୍ରେସ ସରକାର ଥିବା ବେଳେ ଚାଷୀ ଆନ୍ଦୋଳନର ସବୁଠୁ ଅଧିକ ପ୍ରଭାବ ପଂଜାବରେ ହିଁ ରହିଛି। ଚଳିତ ସପ୍ତାହରେ ରାହୁଲ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର